ସଚେତନତା ଅଭାବରୁ କୋଭିଡ଼ ରୋଗୀଙ୍କ ଚାଲିଗଲା ଜୀବନ

0 236

ଦାରିଙ୍ଗବାଡି : ବର୍ତ୍ତମାନ କୋଭିଡ଼ ୧୯ର ଦ୍ୱିତୀୟ ଲହରୀ ଚାଲିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଂଚଳର ଲୋକେ ଆଜି ବି ଠିକ୍‌ ଭାବରେ ସଚେତନ ହୋଇନାହାନ୍ତିି । ସଚେତନତା ଅଭାବ ହେଉ ଅବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକଙ୍କ ଜୀବନ ଚାଲିଯାଉଛି । ଏଭଳି ଭାବେ ଭିନ୍ନଭିନ୍ନ ଚିକିତ୍ସା କରିବା ଫଳରେ ଜଣେ କୋଭିଡ଼ ପଜିଟିଭ ମହିଳାଙ୍କ ଚାଲିଯାଇଛି ଜୀବନ । ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାକାତେଜୁ ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଏହି ଗ୍ରାମର ମିନତୀ ପ୍ରଧାନ ଦାରିଙ୍ଗବାଡି ଷ୍ଟେଟ ବ୍ୟାଙ୍କରେ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଥିଲେ । କାର୍ଯ୍ୟକରିବା ସମୟରେ ମିନତୀ ପ୍ରଧାନ ନିଜକୁ ଅସୁସ୍ଥ ଅନୁଭବ କରିବାରୁ ମେ ୨୫ ତାରିଖ ଦିନ ଦାରିଙ୍ଗବାଡି ସ୍ଥିତ ପଥପ୍ରାନ୍ତ ସେବା କେନ୍ଦ୍ରରେ ନିଜର କୋଭିଡ଼ ପରୀକ୍ଷା କରାଇଥିଲେ । ପରୀକ୍ଷା ପରେ ସେ ପଜିଟିଭ ଥିବା ଜଣାପଡିଥିଲା । ଏହାପରେ ଦାରିଙ୍ଗବାଡି ପ୍ରଶାସନ ପକ୍ଷରୁ ମିନତୀଙ୍କୁ କୋଭିଡ଼ କେୟାର ସେଣ୍ଟରରେ ରହି ଚିକିତ୍ସା ହେବାକୁ କୁହାଯାଇଥିଲା । ହେଲେ ମିନତୀ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସା ହେବାକୁ କହିଥିଲେ । ଏହାପରେ ସେ ଘରେ ରହି ଚିକିତ୍ସା ହୋଇ ଧୀରେ ଧୀରେ ସୁସ୍ଥତା ଅନୁଭବ କରୁଥିଲେ ହେଁ ଦୁର୍ବଳ ଅନୁଭବ କରୁଥିଲେ । କିନ୍ତୁ ପରିବାର ଲୋକ ବିଷକ୍ରିୟା ହୋଇଥିବା ସନ୍ଦେହ କରି ବିଷର ପ୍ରଭାବକୁ ନଷ୍ଟ କରିବା ପାଇଁ ଗ୍ରାମ ଅଂଚଳର ଜଣେ ବୈଦ୍ୟଙ୍କ ଠାରୁ ଚେରମୁଳି ଔଷଧ ତାଙ୍କୁ ଖୁଆଇଥିଲେ । ହେଲେ ଚେରମୁଳି ଔଷଧ ଖାଇ ସାରିବା ପରେ ମଧ୍ୟ ମିନତୀ ଠିକ ହୋଇନଥିଲେ । ପରବର୍ତ୍ତୀ ସମୟରେ କୋଟଗଡ଼ରେ ରହୁଥିବା ମିନତୀଙ୍କ ଭଉଣୀ କୋଟଗଡ଼ ନେଇ ତାଙ୍କୁ ଅଂଚଳର ଏକ କ୍ଲିନିକରେ ଚିକିତ୍ସା କରାଉଥିଲେ । ଚିକିତ୍ସା ସମୟରେ ମିନତୀ ଶନିବାର ଦିନ ମଧ୍ୟାହ୍ନ ସମୟରେ ମୃତ୍ୟୁବରଣ କରିଥିଲେ । ମିନତୀ ମୃତ୍ୟୁବରଣ କରିବା ପରେ ମିନତୀଙ୍କ ଶବକୁ ରାକାତେଜୁ ଗାଁ ମଶାଣିକୁ ଆଣି ତାଙ୍କୁ ସମାଧି ଦେଇଥିଲେ । ଦାରିଙ୍ଗବାଡି ପୋଲିସଙ୍କ ଉପସ୍ଥିତ କ୍ରମେ ମିନତୀଙ୍କ ପରିବାର ଲୋକ ପିପିପି କିଟ ପିନ୍ଧି ସମାଧି ଦେଇଥିଲେ । ଆଗାମୀ ଦିନରେ ଏଭଳି ଘଟଣାକୁ ଏଡାଇବାକୁ ହେଲେ ଲୋକଙ୍କୁ ଯଥେଷ୍ଟ ମାତ୍ରାରେ ସଚେତନ କରିବାକୁ ହେବ । ନହେଲେ ଏଭଳି ଭାବେ ଭିନ୍ନ ଭିନ୍ନ ଚିକିତ୍ସାରେ ଚିକିତ୍ସିତ ହୋଇ ଲୋକେ ମୃତ୍ୟୁବରଣ କରିବେ । ଏଣୁ ଅଂଚଳବାସୀଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୋଭିଡ଼ର ସଚେତନ ବାର୍ତ୍ତା ମାଧ୍ୟମରେ ଅଧିକରୁ ଅଧିକ ସଚେତନ କରିବା ଜରୁରୀ ହୋଇପଡିଛି ।

hiranchal ad1
Leave A Reply

Your email address will not be published.

sixteen + two =