ଯୋଡା: ଖଣି ଅଞ୍ଚଳରେ ଅଧିକାଂଶ ଲୋଡର ବିନା କାଗଜପତ୍ରରେ ଚାଲୁଥିବା ଜଣାପଡିଛି । ଗୁରୁବାର ସନ୍ଧ୍ୟାରେ ବାଂଶପାଣି ଠାରେ ଏକ ପ୍ଲଟରେ ଲୁହା ପିଲେଟ ବୋଝେଇ କରୁଥିବା ଏକ ଲୋଡରକୁ ଯୋଡା ପୁଲିସ, ବଡବିଲ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଏ.ଆର.ଟି.ଓ) ଜବତ କରି ୭୦ ହଜାର ୮ଶହ ୨୫ ଟଙ୍କା ଜୋରିମାନା କରିଥିବା ଜଣାପଡିଛି । ଜୋରିମାନା ଅନାଦାୟ ଲୋଡରଟିକୁ ଯୋଡା ଥାନା ଅଧିନରେ ରଖାଯାଇଛି । ଘଟଣାରୁ ପ୍ରକାଶ ଯେ, ଏହି ଲୋଡର ନଂ. ଓଆର୧୪କ୍ୟୁ-୯୭୧୦ଟି କମାରଯୋଡାସ୍ଥିତ ଫ୍ରେଣ୍ଡସ ଓର କ୍ୟାରିଅର ନାମକ ଏକ ସଂସ୍ଥାରେ ରହିଥିବାବେଳେ ଏହି ଲୋଡରଟିର ଫିଟନେସ ୨୬.୦୬.୨୦୧୭ , ଟ୍ୟାକ୍ସ ୩୦.୦୬.୨୦୧୮, ପରମିଟ୍ ୩୦.୦୬.୨୦୨୦ରେ ସରିଯାଇଥିବା ବେଳେ ଇନ୍ସୁରାନ୍ସ ଏବଂ ପଲ୍ୟୁସନ ସାର୍ଟିଫିକେଟ ନଥିବା ସହିତ ଏହାର ଚାଳକ ସୁଦାମ ମହାନ୍ତଙ୍କର ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନଥିବା ଜଣାପଡିଛି । ଫଳରେ ବଡବିଲ ଏ.ଆର.ଟି.ଓ. ମାନସ ରଞ୍ଜନ ସାହୁ ଏହାକୁ ଜବତ କରି ପୁଲିସ ଜିମା ଦେଇଛନ୍ତି । ସୂଚନାଯୋଗ୍ୟ, ଅଧିକାଂଶ ଖଣି, ରେଳ ସାଇଡିଂ, ଶିଳ୍ପ ସଂସ୍ଥାରେ କାର୍ଯ୍ୟରତ ଲୋଡର ଗୁଡିକର କୌଣସି କାଗଜପତ୍ର ନଥିବା ବେଳେ ଏହା ଦ୍ୱାରା ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଇବା ସହ ଅଣତାଲିମ ପ୍ରାପ୍ତ ଚାଳକ ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ପରିଲକ୍ଷିତ କରାଯାଉଛି । ଏହାକୁ କଡାକଡି ଭାବେ ଯାଞ୍ଚ କରାଗଲେ ଅନେକ ତଥ୍ୟ ମିଳିପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଅଛି ।