ଆବାସ ଯୋଜନାରେ ଆଞ୍ଚଳିକ ବୈଷମ୍ୟ ପ୍ରତିବାଦରେ କୋଶଲ ଯୁବ ସମନ୍ୱୟ ସମିତି କରିବ ପଦଯାତ୍ରା

0 185

ବଲାଙ୍ଗୀର,୧୮/୦୭(ହୀ.ପ୍ର)- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଶଳାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ଉପେକ୍ଷା ଓ ଆଞ୍ଚଳିକ ବୈଷମ୍ୟ ଆଚରଣ ବିରୁଦ୍ଧରେ କୋଶଲ ଯୁବ ସମନ୍ୱୟ ସମିତି ପଦଯାତ୍ରା କରି ଦୃଢ ପ୍ରତିବାଦ କରିବ । ଯାଦବ ଭବନ ଠାରେ ସାମ୍ବାଦିକ ସମ୍ମିଳନୀରେ କେୱାଇସିସି କାର୍ଯ୍ୟକାରୀ ସଭାପତି ରିଲୁ ରଥ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨୩ ତାରିଖରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ମା ମାଣିକେଶ୍ୱରୀ ମନ୍ଦିରରୁ ପଦଯାତ୍ରା ଆରମ୍ଭ ହେବ । ଏହି ୬ଦିନିଆ ପଦଯାତ୍ରା ବରଗଡ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ସମାପ୍ତି ହେବ । କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ହକ୍‌ ମଗାଯିବ ବୋଲି କେୱାଇସିସି ଜେନେରାଲ ସେକ୍ରେଟାରୀ ଅଚ୍ୟୁତ ସିପୁନ୍‌ ଖମାରୀ ସୂଚନା ଦେଇଥିଲେ । ପଶ୍ଚିମାଞ୍ଚଳ ରାଜ୍ୟ ସରକାରଙ୍କ ଦୁଧିଆଳି ଗାଈ । ଖଣିଜ,ଜଙ୍ଗଲ ସଂପଦ ଇତ୍ୟାଦିରୁ ପ୍ରଚୁର ରାଜସ୍ୱ ଆଦାୟ ହେଉଛି । କିନ୍ତୁ ବିକାଶ ବେଳେ ବାରମ୍ବାର ଅଣଦେଖା କରାଯାଉଛି । ଶୋଷଣ ଓ ଅବହେଳା ସରକାରଙ୍କ ଅଘୋଷିତ ନୀତି କହିଲେ ଭୁଲ ହେବ ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ୮ଲକ୍ଷ ୧୭ହଜାର ୪୪୪ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଛୁଆ ପଶ୍ଚିମାଞ୍ଚଳର ଜିଲ୍ଲାମାନଙ୍କୁ ବାଦ ଦେବା । ବରଗଡ, ବଲାଙ୍ଗୀର,ବୌଦ୍ଧ,କଳାହାଣ୍ଡି,କୋରାପୁଟ,ନବରଙ୍ଗପୁର,ରାୟଗଡା,ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାକୁ ସଂପୂର୍ଣ୍ଣ ବାଦ ଦେଇଛନ୍ତି । ଅନ୍ୟ ଜିଲ୍ଲାକୁ ନାମମାତ୍ର ଦିଆଯାଇ ୯୮ପ୍ରତିଶତ ବାତ୍ୟା ନାମରେ ଉପକୂଳ ଅଞ୍ଚଳକୁ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏତାଦୃଶ ମନୋଭାବକୁ ଦୃଢ ନିନ୍ଦା କରିବା ସହ ଏହା ପଶ୍ଚିମାଞ୍ଚଳ ଲୋକଙ୍କ ସ୍ୱାଭିମାନକୁ ଆହ୍ୱାନ ବୋଲି କେୱାଇସିସି ଉପସଭାପତି ବିନୋଦ କାଲସାଏ,ଆବାହକ ରଞ୍ଜନ ଖୁଆସ,ବିଶିଷ୍ଟ ଯୁବ କୋଶଲବାଦୀ ଗିରିରାଜ ଭୋଇ ପ୍ରମୁଖ ସମାଲୋଚନା କରିଥିଲେ । ସେହିପରି ଏ ଅଞ୍ଚଳର ସାଂସଦ ଓ ବିଧାୟକ ପ୍ରଭୃତି ଲୋକ ପ୍ରତିନିଧିଙ୍କ ଦୁର୍ବଳ ପ୍ରତିବାଦର ସ୍ୱର ନିନ୍ଦନୀୟ । ଫେସବୁକ୍‌ ପ୍ରତିବାଦ କାମର ନୁହେଁ ବୋଲି କହିଥିଲେ । କୋଭିଡକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାରେ ଆଉ ୪ଦଫାରେ ପଦଯାତ୍ରା ମାଧ୍ୟମରେ ଜନ ଜାଗରଣ କରି ବିଶାଳ ଜନ ଆନ୍ଦୋଳନ ଯୋଜନା କରାଯିବ । ଆଞ୍ଚଳିକ ବୈଷମ୍ୟ ଗ୍ରହଣୀୟ ନୁହେଁ ଏଣୁ ଜନ ସାଧାରଣ କେୱାଇସିସି ର ପ୍ରତିବାଦରେ ପରୋକ୍ଷ ଓ ପ୍ରତ୍ୟକ୍ଷ ସହଯୋଗ ,ସମର୍ଥନ କରିବା ପାଇଁ ଶ୍ରୀରଥ ଅନୁରୋଧ କରିଥିଲେ ।

hiranchal ad1
Leave A Reply

Your email address will not be published.

12 − ten =