କୋଭିଡ୍‌ ବେଳେ ଏଡ୍‌ସ ରୋଗୀଙ୍କ ପାଇଁ ଦେବଦୂତ ସାଜିଥିଲେ ମହିଳା ସ୍ୱାସ୍ଥ୍ୟକର୍ମୀ ଗୀତାଞ୍ଜଳି

0 271

ବାଲିଗୁଡ଼ା,୧/୧୨: ଆଜି ବିଶ୍ୱ ଏଡ୍‌ସ ଦିବସ । ଦେଶ ଏବଂ ରାଜ୍ୟରେ ଏଡ୍‌ସ ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସମୟରେ ଗାଁ ଗାଁ ବୁଲି ଲୋକଙ୍କୁ ଏଡ୍‌ସ ସଂକ୍ରମଣ ବିଷୟରେ ସଚେତନ କରାଯାଉଛି । ମହାମାରୀ କରୋନା ବିଶ୍ୱକୁ ଘାଇଲା କରୁଥିବାବେଳେ ଅତି ଆବଶ୍ୟକ ନହେଲେ କେହି ଘରୁ ବାହାରକୁ ନବାହାରିବା ପାଇଁ ଜନସାଧାରଣଙ୍କୁ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଥିଲା । କିନ୍ତୁ ଏଭଳି ବିପଦପୂର୍ଣ୍ଣ ସମୟରେ ମଧ୍ୟ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର ମହିଳା ଏଡ୍‌ସ କାଉଁସିଲର ଗୀତାଞ୍ଜଳୀ ପଣ୍ଡା ନିଜକୁ ସମର୍ପିତ କରିଦେଇଥିଲେ ସେବାକାର୍ଯ୍ୟରେ । ଦେବଦୂତ ସାଜି ରୋଗୀଙ୍କ ପାଖରେ ପହଞ୍ଚି ଯୋଗାଇଥିଲେ ଔଷଧ । ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା କନ୍ଧମାଳ ଜିଲ୍ଲାରେ ସମୁଦାୟ ୨୧୦ ଜଣ ଏଡ୍‌ସ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି । ୨୧୦ ରୋଗୀଙ୍କ ମଧ୍ୟରୁ ବାଲିଗୁଡ଼ା ଅଞ୍ଚଳରୁ ୧୨ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ରୋଗୀ ଅନାଥ ହୋଇଥିବା ବେଳେ ଦୁଇଜଣ ବିଧବା ରୋଗୀ ହୋଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୨ଜଣ ରୋଗୀଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ବର୍ତ୍ତମାନ ବାଲିଗୁଡ଼ା ଅଞ୍ଚଳରେ ୧୦ଜଣ ରୋଗୀ ଥିବା ଜଣାପଡ଼ିଛି । ମହାମାରୀ କରୋନା କଟକଣା ସମୟରେ ଗୀତାଞ୍ଜଳି ବାଲିଗୁଡ଼ା ଅଞ୍ଚଳର ଏହି ରୋଗୀ ମାନଙ୍କ ଘରକୁ ଯାଇ ସେମାନଙ୍କୁ ଔଷଧ ଯୋଗାଇଥିଲେ । ଏଭଳି ସମୟରେ ରୋଗୀଙ୍କ ପାଖରେ ପହଁଞ୍ଚି ସେମାନଙ୍କୁ ଔଷଧ ଯୋଗାଇ ବେଶ ସନ୍ତୁଷ୍ଟି ଲାଭ କରିଥିବା କହିଛନ୍ତି ଗୀତାଞ୍ଜଳି । ସେପଟେ ଘରୁ ବାହାରକୁ ବାହାରି ପାରୁନଥିବା ସମୟରେ ଘର ପାଖରେ ଔଷଧ ପାଇଥିବାରୁ ଗୀତାଞ୍ଜଳୀଙ୍କୁ ସାଧୁବାଦ ଜଣାଇଛନ୍ତି ରୋଗୀ ।

hiranchal ad1
Leave A Reply

Your email address will not be published.

1 + six =