କିଲର କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇ ଘରକୁ ଫେରିଲେ ୮୩ ବର୍ଷୀୟ ବୃଦ୍ଧ

0 102

ବାଲିଗୁଡ଼ା,୧୬/୫: କିଲର କରୋନାକୁ ମାତ୍‌ଦେଇ ସୁସ୍ଥ ହୋଇ ଘରକୁ ଫେରିଲେ ୮୩ ବର୍ଷୀୟ ବୃଦ୍ଧ । ମହାମାରୀ କରୋନା ଭୂତାଣୁ ଏବେ ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଏହାର ଯୋରଦାର୍‌ ପ୍ରଭାବ ପଡ଼ିଛି । ଏଭଳି ପରିସ୍ଥିତିରେ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଲକ୍‌ ଡାଉନ୍‌, ସଟ୍‌ ଡାଉନ୍‌, ନାଇଟ କର୍ଫ୍ୟୁ ସହ ଅମାନିଆଙ୍କୁ ସାବାଡ଼ କରିବାପାଇଁ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି । ସାମାଜିକ ଦୂରତା, ମାସ୍କ ପରିଧାନକୁ ମଧ୍ୟ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । ବର୍ତ୍ତମାନ ସମୟରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି କିଲର କରୋନାକୁ ହେୟଜ୍ଞାନ କରୁଛନ୍ତି । କିନ୍ତୁ ଦେଶର ଅନେକ ରାଜ୍ୟରେ ଏବେ ପରିସ୍ଥିତି ଭୟାବହ ହେଲାଣି । ମହାମାରୀ କରୋନା ଏବେ ଜୀବଜଗତର ଶ୍ରେଷ୍ଠ ପ୍ରାଣୀ ମଣିଷକୁ ଉପହାସ କରୁଛି । ହେଲେ ନିରୀହ ମଣିଷ ଏବେ ନିରୁପାୟ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସମାଜକୁ ଏକ ଦୃଷ୍ଟାନ୍ତମୂଳକ ଉଦାହରଣ ମିଳିଛି । କିଲର କରୋନା ସହ ଲଢେଇ କରି ସୁସ୍ଥ ହୋଇ ଘରକୁ ଫେରିଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଭଗାମୁଣ୍ଡା ସାହିର ୮୩ ବର୍ଷୀୟ ବୃଦ୍ଧ । ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୨ନଂ ୱାର୍ଡ ଅନ୍ତର୍ଗତ ଭଗାମୁଣ୍ଡା ସାହିର ୮୩ ବର୍ଷୀୟ ବୃଦ୍ଧ ଶ୍ୟାମଘନ ପଣ୍ଡା । ଗତ କିଛି ଦିନ ତଳେ ଶ୍ୟାମଘନଙ୍କୁ ଜ୍ୱର ଲାଗି ରହିଥିଲା । ଟେଷ୍ଟରେ ପଜିଟିଭ୍‌ ଚିହ୍ନଟ ହେବାପରେ ଶ୍ୟାମଘନଙ୍କୁ ବାଲିଗୁଡ଼ା ବଡ଼ଗାଁରେ ଥିବା କୋଭିଡ୍‌ କେୟାର୍‌ ସେଣ୍ଟରକୁ ନିଆଯାଇଥିଲା । ସେଠାରେ ଉପଯୁକ୍ତ ଚିକିତ୍ସା ପରେ ଗତକାଲି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮୩ ବର୍ଷୀୟ ବୃଦ୍ଧ ଶ୍ୟାମଘନ ପଣ୍ଡା । ଶ୍ୟାମଘନ ଡିସଚାର୍ଜ ହେବା ସମୟରେ ସମସ୍ତ ଜନସାଧାରଣଙ୍କୁ ଏକ ମେସେଜ୍‌ ମଧ୍ୟ ଦେଇଛନ୍ତି । ରୋଗକୁ ନଲୁଚାଇ ସରକାରଙ୍କ ନିର୍ଦ୍ଦେଶକୁ ମାନିବାସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସିତ ହୁଅନ୍ତୁ । ଏଥିସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଅନ୍ତୁ ବୋଲି କହିଛନ୍ତି ବୃଦ୍ଧଜଣକ । ଅନ୍ୟପଟେ କୋଭିଡ୍‌ କେୟାର୍‌ ସେଣ୍ଟରର ଡାକ୍ତରଙ୍କ ସମେତ ସମସ୍ତ କର୍ମଚାରୀ ବୃଦ୍ଧ ଶ୍ୟାମଘନ ପଣ୍ଡାଙ୍କୁ ଫୁଲମାଳ ପିନ୍ଧାଇବାସହ ପୁଷ୍ପଗୁଚ୍ଛ ଦେଇ ଉଜ୍ୱଳ ଭବିଷ୍ୟତର କାମନା କରି ବିଦାୟ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

4 × four =