ବାଲିଗୁଡ଼ା,୨୧/୧୧: ଆକ୍ସନ ମୁଡ୍ରେ କନ୍ଧମାଳ ପୋଲିସ୍ । ଗଞ୍ଜେଇ ଚୋରାଚାଲାଣ ବେଳେ ରାଇକିଆ ପୋଲିସ୍ ପକ୍ଷରୁ ଚଢ଼ାଉ । ୨୦କେଜି ୪୦୦ଗ୍ରାମ୍ ଗଞ୍ଜେଇ ସହ ଗୋଟିଏ ଅଟୋ ଜବତ କରିଛି ପୋଲିସ୍ । ଏଥିସହିତ ଚୋରାଚାଲାଣରେ ସମ୍ପୃକ୍ତ ତିନିଜଣ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ ୧ଲକ୍ଷ ୨୦ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି । ଏହି ଗଞ୍ଜେଇ ବାଲିଗୁଡ଼ା ଥାନା ବାରଖମା ଅଞ୍ଚଳରୁ ଭୂବନେଶ୍ୱରକୁ ଚାଲାଣ ହେଉଥିବା ସୂଚନା ଦେଇଛନ୍ତି ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ତରୁଣ ତପନ ବେହେରା । ସୂଚନା ପ୍ରକାରେ ବାଲିଗୁଡ଼ା ଅଞ୍ଚଳରୁ ରାଇକିଆ ଦେଇ ଭୂବନେଶ୍ୱରକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଥାନା ଭାରପ୍ରାପ୍ତ ଅଧିକାରୀ । ସୂଚନା ଅନୁଯାୟୀ ଥାନା ଭାରପ୍ରାପ୍ତ ଅଧିକାରୀ ତରୁଣ ତପନ ବେହେରା ନିଜ ଟିମ୍ ସହ ରାଇକିଆ ବଜାରରେ ଛକି ରହିଥିଲେ । ଗଞ୍ଜେଇ ଭର୍ତ୍ତି ଗୋଟିଏ ନାଲି ରଙ୍ଗର ଅଟୋ (ଓଡି୦୭ଭି-୫୦୧୯)ରାଇକିଆ ବଜାର ଦେଇ ଯିବାବେଳେ ଅଚାନକ ଚଢ଼ାଉ କରି ଗଞ୍ଜେଇ ଭର୍ତ୍ତି ଅଟୋ ଜବତ କରିବା ସହ ତିନିଜଣ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ତିନିଜଣ ବାଲିଗୁଡ଼ା ଥାନା ବାରଖମା ଅଞ୍ଚଳର ଚକ୍ରଧର ପାତ୍ର,ପାଟ ମଲ୍ଲିକ ଓ ସରୋଜ କୁମାର ସାହୁ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।