କୋଭିଡ଼ ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ଓ ଅଗ୍ନି ସୁରକ୍ଷା ଉପରେ ସତର୍କ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0 80

ଭୁବନେଶ୍ୱର,୧୧/୫- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର କାର୍ଯ୍ୟକ୍ରମରେ କୋଭିଡ ପରିଚାଳନା ସଂପର୍କରେ ରାଜ୍ୟ ସରକାର ଫିଡ୍‌ବ୍ୟାକ୍‌ ସଂଗ୍ରହ କରିଛନ୍ତି । ଏହି ତଥ୍ୟ ଭିତ୍ତିରେ ନିମ୍ନୋକ୍ତ ବିଷୟ ଉପରେ ଗୁରୁତ୍ୱାରୋପ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜିଲ୍ଲାସ୍ତରରେ କୋଭିଡ ଚିକିତ୍ସା କେନ୍ଦ୍ର ଗୁଡିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଏବଂ ମେଡିକାଲ ଅକ୍‌ସିଜେନ ସୁବିଧା ସବୁଠାରୁ ବଡ ପ୍ରାଥମିକତା । ଏହା ଉପରେ ୨୪ ଘଣ୍ଟିଆ ତଦାରଖ କରାଯିବା ଆବଶ୍ୟକ । ଅଧିକ କୋଭିଡ ସଂଖ୍ୟା ଥିବା ଅଞ୍ଚଳ ଗୁଡିକରେ ଟେଷ୍ଟିଂ, ଟ୍ରେସିଂ ଓ କଣ୍ଟେନମେଣ୍ଟକୁ ଜୋରଦାର କରିବା । ଆଇସିୟୁ ଓ ଏଚଡିୟୁ ଦାୟିତ୍ୱରେ ଥିବା ଡାକ୍ତରମାନଙ୍କ ଠାରୁ ସିଧାସଳଖ ଫିଡବ୍ୟାକ୍‌ ନେଇ ସେମାନଙ୍କ ମତାମତ ଭିତ୍ଥିରେ ପଦକ୍ଷେପ ନିଆଯିବ । ଟୀକାକରଣ କାର୍ଯ୍ୟକ୍ରମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ତ୍ରୁଟି ଶୂନ୍ୟ ବ୍ୟବସ୍ଥା କରାଯାଉ ।ବୟସ୍କ, ମହିଳା ଓ ଦୁର୍ବଳ ଶ୍ରେଣୀର ଲୋକଙ୍କର ଯତ୍ନ ନିଆଯାଉ । ଯେତେଶୀଘ୍ର ସମ୍ଭବ ଅଧିକ ସଂଖ୍ୟକ ଟୀକା ସଂଗ୍ରହ ପାଇଁ ଆମର ଉଦ୍ୟମ ଜାରି ରହିଛି ।କୋଭିଡ ଚିକିତ୍ସା କରୁଥିବା ବେସରକାରୀ ମେଡିକାଲ ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ରହିଛି । ସେମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଭିତରେ ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରିବାକୁ ବାଧ୍ୟ । ଯଦି ସେମାନେ ଏହା ନ କରନ୍ତି, ତେବେ ସଂପୃକ୍ତ ହସ୍‌ପିଟାଲ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । କୋଭିଡ ହସ୍‌ପିଟାଲ ଗୁଡିକରେ ହେଲ୍‌ପ ଲାଇନ ଗୁଡିକୁ ଅଧିକ କ୍ରିୟାଶୀଳ କରାଯାଉ ଏବଂ ରୋଗୀଙ୍କ ପରିବାର ବର୍ଗଙ୍କୁ ନିୟମିତ ସୂଚନା ଦିଆଯାଉ । ଏଭଳି କଠିନ ସମୟରେ ଦୁଃଖୀ ଗରିବ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ବ୍ୟବହାର କରି ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକକୁ ସଂଯୋଜନା କରିଥିଲେ । ବୈଠକରେ ସମ୍ବଲପୁର, ବରଗଡ, ପୁରୀ, କଟକ ଓ ଭୁବନେଶ୍ୱର ମହାନଗର ନିଗମରେ କୋଭିଡ ପରିଚାଳନା ସଂପର୍କରେ ଜିଲ୍ଲାପାଳ ଓ କମିଶନର ମାନେ ସୂଚନା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

8 + six =