ନକଲି କୋଭିଡ ଔଷଧ ଜବତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶଦେଲେ ମୁଖ୍ୟମନ୍ତ୍ରୀ

0 183

ଭୁବନେଶ୍ୱର,୧୪/୬- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ରାଜ୍ୟବ୍ୟାପୀ ନକଲି କୋଭିଡ ଔଷଧ ଜବତ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ପ୍ରଥମେ କଟକ ମାଲଗୋଦାମ ଅଞ୍ଚଳରେ ଏହି ଔଷଧ ନକଲି କରାଯାଇଥିବାନେଇ ଖବର ମିଳିବାପରେ ରାଜ୍ୟବ୍ୟାପୀ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ଚଢାଉ ନିର୍ଦ୍ଦେଶ ଦିଆଯାଇଥିଲା । ଫାଭିପିରାଭିର୍‌ କରୋନା ଔଷଧ ଖୋଳରେ ନକଲି ଔଷଧ ଭର୍ତ୍ତିକରି ଏହାକୁ ବିକ୍ରି କରାଯାଉଥିବା ଜଣାପଡିବାପରେ ଏହାର ସତ୍ୟାସତ୍ୟ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଷ୍ଟେଟ ଲାବୋରେଟୋରୀ ଓ କୋଲକତାସ୍ଥିତ ସେଣ୍ଟ୍ରାଲ ଲାବୋରେଟୋରୀକୁ ପଠାଯାଇଥିଲା । ରିପୋର୍ଟ ଆସିବାପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଆନନ୍ଦ ଶଙ୍କର ଦାସ ସୂଚନା ଦେଇଛନ୍ତି । ତେବେ କଟକ କନିକାସ୍ଥିତ ହୋଲସେଲ ଦୋକାନର ପ୍ରୋପାଇଟର ନକଲି ସଂପର୍କରେ ସେ କିଛି ଜାଣନ୍ତିନାହିଁ ବୋଲି କହିବାସହ ବିଲ୍‌ରେ କିଣିି ବିଲ୍‌ରେ ବିକ୍ରି କରିଥିବା କହିଛନ୍ତି । ତେବେ ଡ୍ରଗସ ବିଭାଗ ପକ୍ଷରୁ ଜିଲ୍ଲାସ୍ତରରେ ଡ୍ରଗ୍ସ ଇନିସପେକ୍ଟରମାନେ ଆଜି ଦିନତମାମ ଏହାର ଖୋଳତାଡ କରିଥିବାବେଳେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ସୂଚନାରୁ ଜଣାପଡିଛି ଯେ ଖବର ଲେଖାଯିବା ପର୍ଯ୍ୟନ୍ତ ରାଜ୍ୟର ୧୨ଟି ଜିଲ୍ଲାରେ ଏହାର ଚଢାଉ ଜାରିରହିଛି । ମିଳିଥିବା ତାଜା ସୂଚନା ଅନୁଯାୟୀ ସବୁସ୍ଥାନରେ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡ ହିମାଚଳର ମେନୁଫେକଚରିଂ ମୋହର ଥିବା ଫାଭିପିରାଭିର୍‌ ଔଷଧ ଖୋଳରେ ଥଣ୍ଡା ଜ୍ୱରପାଇଁ ବ୍ୟବହାର ହେଉଥିବା ପାରାସିଟାମଲ ଭର୍ତ୍ତି କରାଯାଇଥିବା ମେଡିସିନ ବିକ୍ରି ହୋଇଥିବା ଜଣାପଡିଛି । ଅନ୍ୟପକ୍ଷରେ ବୌଦ୍ଧ ଜିଲ୍ଲାରେ ବି ଏହି ନକଲି ଔଷଧ କାରବାରର ପର୍ଦ୍ଦାଫାଶ ହୋଇଛି । ଜିଲ୍ଲାର ପଲସାଗୋରା ବଘିଆବାହାଲ ଓ ବାଉଁଶୁଣୀ ଠାରେ ଦୁଇଟି ଔଷଧ ଦୋକାନରୁ ଏହି ନକଲି ଔଷଧ ଜବତ ହୋଇଥିବା ଡ୍ରଗସ ନୀରିକ୍ଷକ ମୁକେଶ ଧରୁଆ ସୂଚନା ଦେଇଛନ୍ତି । ଜବତ ହୋଇଥିବା ଔଷଧ ଏହି ଗ୍ରୁପର କି ନା ତାହାକୁ ପରୀକ୍ଷା ପାଇଁ ରାଜ୍ୟ ଲାବୋରେଟୋରୀକୁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 11 =