ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ବାତ୍ୟା କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା

0 67

ଭୁବନେଶ୍ୱର,୨/୬- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତ ଭାବରେ ଡକୁମେଣ୍ଟେସନ୍‌ କରିବା ପାଇଁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ସଂପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଲୋକଙ୍କ ଜୀବନ ସୁରକ୍ଷା କରିଛନ୍ତି । ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅତି କମ୍‌ ସମୟ ମଧ୍ୟରେ କରାଯାଇପାରିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ସମସ୍ତ କାର୍ଯ୍ୟର ଡକୁମେଣ୍ଟେସନ କରିବାର ଆବଶ୍ୟକତା ସଂପର୍କରେ କହିଥିଲେ । ବାତ୍ୟାର ଲ୍ୟାଣ୍ଡଫଲ୍‌ର ପୂର୍ବବର୍ତ୍ତୀ ସମୟର ପ୍ରସ୍ତୁତି, ସ୍ଥାନାନ୍ତର ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ଡକୁମେଣ୍ଟେସନ କରାଗଲେ, ଏହା ଆଗାମୀ ଦିନରେ ଆମକୁ ବାତ୍ୟା ପରିଚାଳନାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବୈଠକରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟାରେ ସମୁଦାୟ ୧୫୦ଟି ଗାଁରେ ଜଳମଗ୍ନ ହୋଇଥିଲା । ସାମୁଦ୍ରିକ ଲୁଣିପାଣି ଯୋଗୁ ଫସଲ ମଧ୍ୟ କ୍ଷତି ହୋଇଛି ବୋଲି ସେ କହିଥିଲେ । ବାତ୍ୟା ପରବର୍ତ୍ତତୀ ସମୟରେ ଲୋକଙ୍କୁ ବିଜୁଳି ଓ ପିଇବା ପାଣି ଯୋଗାଇବା ପାଇଁ ୧୦୦୦ଟି ଡିଜି ସେଟ୍‌, ଟ୍ୟାଙ୍କର ଓ ପିଭିସି ଟ୍ୟାଙ୍କ ଆଦି ନିୟୋଜିତ କରାଯାଇଥିଲା । ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ବାତ୍ୟାର କ୍ଷୟକ୍ଷତି ଓ ପୁନରୁଦ୍ଧାର ସଂପର୍କରେ ସୂଚନା ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନ ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ନେଇ କାମ କରିଥିଲା ଏବଂ ଏଥିରେ ପ୍ରାୟତଃ ସଫଳ ହୋଇଛି । ସେ କହିଥିଲେ ଯେ ଏଥିରେ ୧୧ ହଜାର ଗ୍ରାମର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ବାତ୍ୟାରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ଥିଭୂମି ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସଂପତ୍ତି କ୍ଷତି ହୋଇଛି । ସମୁଦାୟ କ୍ଷତିର ପରିମାଣ ୬୧୦ କୋଟି ଟଙ୍କା । ରିଲିଫ ପାଇଁ ୬୬ କୋଟି ଟଙ୍କା ଆବଶ୍ୟକ ବୋଲି ସେ କହିଥିଲେ । କୃଷି ବିଭାଗର କ୍ଷୟକ୍ଷତି ସଂପର୍କରେ ଆଲୋକପାତ କରି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା କହିଥିଲେ ଯେ ସମୁଦ୍ରକୂଳ ପ୍ରଭାବିତ ଜିଲ୍ଲା ଗୁଡିକରେ ଲୁଣି ପାଣି ମାଡି ଯିବାରୁ ଆଗାମୀ ଖରିଫ ଫସଲ ପାଇଁ ସମସ୍ୟା ଦେଖାଦେଇଛି । ତେଣୁ ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟ ଓ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ମାନଙ୍କୁ ଏହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ କରି ପରାମର୍ଶ ପ୍ରଦାନ କରିବା ପାଇଁ କୁହାଯାଇଛି । ଏହି ବୈଜ୍ଞାନିକ ମାନେ ବର୍ତ୍ତମାନ ପ୍ରଭାବିତ ସ୍ଥାନରେ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ଏବଂ ଖୁବଶୀଘ୍ର ରିପୋର୍ଟ ଆସିବ ବୋଲି ସେ କହିଥିଲେ । ବିଭାଗୀୟ ସଚିବ ମାନେ ସେମାନଙ୍କ ବିଭାଗର ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଏଥିରେ ୩୦ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିଲେ ଏବଂ ଏଥିରେ ୯୯.୮ ପ୍ରତିଶତ ଉପଭୋକ୍ତାଙ୍କୁ ବର୍ତ୍ତମାନ ସୁଦ୍ଧା ବିଜୁଳି ପୁନଃସଂଯୋଗ କରାଯାଇଛି ବୋଲି ସେ କହିଥିଲେ । ୨୩୦ଟି ଟ୍ରାନସଫର୍ମର ଆଜି ସୁଦ୍ଧା ବଦଳାଯାଇ ନୂଆ ଟ୍ରାନସଫର୍ମର ଲଗାଯିବ ବୋଲି ସୂଚନା ଦିଆଯାଇଥିଲା । ଶକ୍ତି ବିଭାଗର କ୍ଷୟକ୍ଷତିର ପରିମାଣ ୧୫୦ କୋଟି ଟଙ୍କା ବୋଲି ଦର୍ଶାଯାଇଥିଲା । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ବାତ୍ୟା ସମୟରେ ଓ ପରେ ପାନୀୟ ଜଳ ଯୋଗାଣ ଅବିରତ ଭାବେ ଜାରି ରହିଥିଲା । ବାତ୍ୟା ପ୍ରଭାବିତ ଅଞ୍ଚଳରେ ୧୦ଟି ମୋବାଇଲ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ମୁତୟନ କରାଯାଇଥିଲା । ଏହା ସାରା ଭାରତରେ ଏକ ଅନନ୍ୟ ପଦକ୍ଷେପ ବୋଲି ସୂଚନା ଦିଆଯାଇଥିଲା । ମଇ ୩୧ ସୁଦ୍ଧା ସମସ୍ତ ଟ୍ୟୁବୱେଲ ଓ ପାଇପ ୱାଟର ପ୍ରକଳ୍ପର ଜଳଉତ୍ସକୁୁ ବିଶୋଧନ କରାଯାଇଥିଲା । ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର, ପଞ୍ଚାୟତ ରୋଡର କ୍ଷୟକ୍ଷତି ପରିମାଣ ୨୭୭ କୋଟି ଟଙ୍କା ।ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ୮ଟି ସହରାଞ୍ଚଳର ୫୮ଟି ସଡକ ସହିତ ରାସ୍ତାର ଆଲୋକୀକରଣ ବ୍ୟବସ୍ଥା, ଗୋଟିଏ ସେତୁ ଆଦି କ୍ଷତିର ସମ୍ମୁଖୀନ ହୋଇଛି । ବାସୁଦେବପୁର ବ୍ୟତୀତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା ବୋଲି ସୂଚନା ଦିଆଯାଇଥିଲା ।ସେହିପରି ଜଳସଂପଦ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଓ ରାସ୍ତାରେ ହୋଇଥିବା ଘାଇ ସଂପର୍କରେ ସୂଚନା ଦିଆଯାଇଥିଲା । ସମୁଦାୟ କ୍ଷତିର ପରିମାଣ ୧୦୮ କୋଟି ଟଙ୍କା । ସେହିପରି ପୂର୍ତ୍ତବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସଡକ ଗୁଡିକୁ ଗଛ କାଟି ତୁରନ୍ତ ଅବରୋଧମୁକ୍ତ କରାଯାଇଥିଲା । ୨୪୬ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି କରାଯାଇଛି । କ୍ଷତିର ପରିମାଣ ୭୫ କୋଟି ଟଙ୍କା । ଗ୍ରାମ୍ୟ ଉନ୍ନୟନ ବିଭାଗ କ୍ଷତିର ପରିମାଣ ୬୦ କୋଟି ଟଙ୍କା ବୋଲି ଦର୍ଶାଯାଇଛି । ବୈଠକରେ ବାଲେଶ୍ୱର, ଭଦ୍ରକ, ମୟୁରଭଂଜ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ଆବଶ୍ୟକତା ସଂପର୍କରେ ଦୃଷ୍ଟି ଆକର୍ଣଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

five + fourteen =