ଖ୍ରୀଷ୍ଟିଆନ ଭାଇଭଉଣୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ବଦାନ୍ୟତା : କନଭେଣ୍ଟ ଛକସ୍ଥିତ ଚର୍ଚ୍ଚର ନବୀକରଣ ପାଇଁ ଦେଲେ ୨ କୋଟି ଟଙ୍କା
ଭୁବନେଶ୍ୱର,୩/୭:- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଯେ ହିନ୍ଦୁଧର୍ମର ପ୍ରଚାର ପ୍ରସାର ପାଇଁ ଧ୍ୟାନ ଦିଅନ୍ତି ତାହା ଭୁଲ୍ ଇତିମଧ୍ୟରେ ସେ ଖ୍ରୀଷ୍ଟଧର୍ମ ଓ ମୁସଲମାନ ଧର୍ମ ତଥା ସଂପ୍ରଦାୟର ଉପାସନା ପୀଠର ବିକାଶପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟିକୋଟି ଟଙ୍କା ପ୍ରଦାନ କରିଛନ୍ତି । ଆଜି ରାଜଧାନୀ କନଭେଣ୍ଟ ଛକସ୍ଥିତ ଚର୍ଚ୍ଚର ନବୀକରଣ ଓ ବିକାଶ ପାଇଁ ଆୟୋଜିତ ଭୂମିପୂଜନ ଉତ୍ସବରେ ଯୋଗଦେଇ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟମନ୍ତ୍ରୀଙ୍କ ଏହି ଧର୍ମନିରପେକ୍ଷତା ନୀତିକୁ ଉଚ୍ଚ ପ୍ରଶଂସା କରିଥିବାବେଳେ ଖ୍ରୀଷ୍ଟିଆନ ଭାଇଭଉଣୀମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ୨ କୋଟି ଟଙ୍କାରେ ଚର୍ଚ୍ଚର ବିକାଶ ଓ ନବୀକରଣ କରିବାପାଇଁ କହିଥିଲେ ।
ଉତ୍ସବରେ ଯୋଗଦେଇଥିବା ପୂର୍ବତନ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିବାସହ ଚର୍ଚ୍ଚର ବିକାଶ ପାଇଁ ବିଧାୟକ ଶ୍ରୀ ଜେନା ଅଧିକ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚର୍ଚ୍ଚର ମୁଖ୍ୟ ଆର୍କ ବିଶପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ନିରାମୟ ଜୀବନ କାମନାକରି ଉପସ୍ଥିତ ଖ୍ରୀଷ୍ଟିଆନ ଭାଇଭଉଣୀମାନେ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ନେତୃବୃନ୍ଦ ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।