ସମ୍ବଲପୁର: ସ୍ଥାନୀୟ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଅନୁସନ୍ଧାନ ଓ ଚିକିତ୍ସା ସଂସ୍ଥାନ (ଭିମସାର)ରେ କରୋନା ସଂକ୍ରମଣ ପରେ ବ୍ଲାକ ଫଙ୍ଗସରେ ୨ଆକ୍ରାନ୍ତଙ୍କ ଗତ ତିନି ଦିନ ଭିତରେ ମୃତ୍ୟୁ ହୋଇଛି । ଏହାକୁ ନେଇ ସେଠାକାର ରୋଗୀ ଭୟଭୀତ ଓ ଚିକିତ୍ସକଗଣ ଚିନ୍ତିତ ରହିଛନ୍ତି, କାରଣ ସେଠାରେ ବର୍ତ୍ତମାନ ଏହି ମାରାତ୍ମକ ରୋଗରେ ପୀଡ଼ିତ ୧୧ ଜଣଙ୍କ ଚିକିତ୍ସା ଚାଲିଛି । ଗତକାଲି ସେଠାକାର ମେଡିସିନ ବିଭାଗରେ ଚିକିତ୍ସିତ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି ଓ ସେ ବ୍ଲାକ ଫଙ୍ଗସରେ ପୀଡ଼ିତ ଥିଲେ ବୋଲି କୁହାଯାଇଛି । ଏହି ଘଟଣାର ଦୁଇଦିନ ପୂର୍ବେ ସେଠାରେ କେନ୍ଦ୍ରୀୟ ସ୍ୱତନ୍ତ୍ର ଆଇସିୟୁରେ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ସେ ମଧ୍ୟ ଉକ୍ତ ରୋଗରେ ଆକ୍ରାନ୍ତ ଥିଲେ, ଯାହାକି ଭିମସାର ସୂତ୍ରରୁ ପ୍ରକାଶ । ଏପର୍ଯ୍ୟନ୍ତ ଏହି ବଡ଼ ମେଡ଼ିକାଲରେ ବ୍ଲାକ ଫଙ୍ଗସର ମୋଟ ୨୭ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି ଓ ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୧୧ ଜଣ ଚିକିତ୍ସାଧୀନ ରହିଛନ୍ତି । ଏହା ଏକ ଦୁରୁହ ଓ ବିରଳ ମହାମାରୀ ହୋଇଥିବାରୁ ଏଥିରେ ପୀଡ଼ିତ ରୋଗୀଙ୍କ ଚିହ୍ନଟ ଓ ବିଶେଷ ଚିକିତ୍ସା ପାଇଁ ଏକ ଆଠ ଜଣିଆ ବିଶେଷଜ୍ଞଙ୍କୁ ନେଇ ଉଚ୍ଚ଼ସ୍ତରୀୟ କମିଟି ଗଠନ କରାଯାଇଛି ।