ଦୁଗ୍ଧ ସମବାୟ ସମିତିର ପୁନର୍ଗଠନ ଓ ସଂପ୍ରସାରଣ ସମ୍ବନ୍ଧେ ବୈଠକ

0 662

ବୌଦ୍ଧ,୫/୧୧ – ଜିଲ୍ଲା ଦୁଗ୍ଧ ସଂଘ ଅଧୀନସ୍ଥ ଦୁଗ୍ଧ ସମବାୟ ସମିତିର ପୁନର୍ଗଠନ ଏବଂ ସଂପ୍ରସାରଣ ନେଇ ଏକ ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବ୍ଲକରେ ୧୭ଟି ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ପାଖାପାଖି ୨୦୦୦ ଲିଟର ଦୈନିକ ଦୁଗ୍ଧ ବିପଣନ କରାଯାଉଛି । ଏହାଦ୍ୱାରା ଜିଲ୍ଲାର ଏହି ଦୁଇଟି ବ୍ଲକର ୧୧ଶହ ଗୋପାଳକ ଉପକୃତ ହେଉଛନ୍ତି । ଆଗାମୀ ୧ମାସ ମଧ୍ୟରେ ଏହି ୨ଟି ବ୍ଲକରେ ୬ଟି ନୂତନ ଦୁଗ୍ଧ ସମବାୟ ସମିତି ଗଠନ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହି ନୂତନ ସମିତିରେ ଅନ୍ୟୁନ ୩ଶହ ଦୁଗ୍ଧ ଚାଷୀ ଉପକୃତ ହୋଇ ଦୈନିକ ୫ଶହ ଲିଟର କ୍ଷୀର ବିପଣନର ସୁବିଧା ସୁଯୋଗ ପାଇପାରିବେ । ଏହି ୬ଟି ନୂତନ ସମିତିରୁ ଆସନ୍ତା ଡିସେମ୍ବର ୧୫ ତାରିଖରୁ ଦୁଗ୍ଧ ସଂଗ୍ରହ ଓ ବିକ୍ରୟ ପ୍ରକ୍ରିୟା ଆରମ୍ଭ ହେବ । ଏତଦବ୍ୟତୀତ ହରଭଙ୍ଗା ବ୍ଲକରେ ୧୨ଟି ନୂତନ ଦୁଗ୍ଧ ସମବାୟ ସମିତି ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ଯଦ୍ୱାରା ଏହି ବ୍ଲକର ୫ଶହ ଦୁଗ୍ଧ ଚାଷୀ ଉପକୃତ ହୋଇ ଅନ୍ୟୁନ ୧୫ଶହ ଲିଟର ଦୁଗ୍ଧ ଦୈନିକ ବିପଣନର ସୁଯୋଗ ପାଇବେ । ଦୁଗ୍ଧଚାଷୀଙ୍କ ଆର୍ଥିକ ଉନ୍ନତ୍ତିକୁ ଦୃଷ୍ଟିରେ ରଖି ଏବଂ ଆଗାମୀ ଗ୍ରୀଷ୍ମଋତୁ ବିଶେଷକରି ଫେବୃଆରୀ ମାସ ମଧ୍ୟଭାଗରେ ଗ୍ରୀଷ୍ମପ୍ରବାହ ଦ୍ୱାରା ଦୁଗ୍ଧ ନଷ୍ଟ ନହେବା ଉଦ୍ଦେଶ୍ୟରେ ୧ହଜାର ଲିଟର କ୍ଷମତା ବିଶିଷ୍ଟ ୩ଟି ଶୀତଳୀକରଣ ପ୍ଲାଣ୍ଟ ଚାରିଛକ, ବୌଦ୍ଧ ଏବଂ କଣ୍ଟାମାଳ ଠାରେ ଅବସ୍ଥାପନ ପାଇଁ ବୈଠକରେ ଗୃହୀତ ହୋଇଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଅମିତାଭ ପଣ୍ଡା, ସମଲେଶ୍ୱରୀ ଦୁଗ୍ଧ ସଂଘର ପରିଚାଳକ ନଗେନ ଚନ୍ଦ୍ର ମିଶ୍ର, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରଫୁଲ୍ଲ କୁମାର ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen + three =