ବୌଦ୍ଧ,୧୩/୧- ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ମନରଞ୍ଜନ ଦାଶ ଗତକାଲି ଅପରାହ୍ନରେ ବୁଟୁପାଲି ଠାରେ ଥିବା ବୌଦ୍ଧ ସେବା ସମବାୟ ସମିତିର ଧାନ ମଣ୍ଡି ପରିଦର୍ଶନରେ ଯାଇ ଚାଷୀ ଓ ପେକ୍ସ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ବେଳେ ଚାଷୀମାନେ ଅଭିଯୋଗ କରିଥିଲେ ଯେ ଯେଉଁ ପରିମାଣରେ ଯୋଗାଣ ବିଭାଗ ଚାଷୀଙ୍କୁ ଟୋକନ ପ୍ରଦାନ କରିଛି ସେହି ପରିମାଣରେ ଟ୍ରକ ବ୍ୟବସ୍ଥା ହେଉନାହିଁ । ବିଗତ ବର୍ଷ ମାନଙ୍କରେ ଟୋକନ ଆସିଥିବା ବେଳେ ଯୋଗାଣ ବିଭାଗ ମିଲର ଟାର୍ଗେଟ ଓ ପେକ୍ସର ଟାର୍ଗେଟ ବୃଦ୍ଧିରେ ବିଳମ୍ବ କରିଥିବାରୁ ଚାଷୀ ଅଭାବୀ ବିକ୍ରୀର ଶିକାର ହୋଇଥିଲେ । ସେଥିପାଇଁ ପ୍ରଥମ କିସ୍ତିରେ ଆସିଥିବା ଟାର୍ଗେଟ ସରିବା ପୁର୍ବରୁ ଆବଶ୍ୟକତା ଅନୁସାରେ ଟାର୍ଗେଟ ବଢାଇବା ଦରକାର ବୋଲି ଚାଷୀମାନେ ଦାବୀ କରିଥିଲେ । ସେ ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରିଦର୍ଶନ ବେଳେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ମାଗୁଣି ଚରଣ ଗାଇଗୌରିଆ, ସ୍ୱଚ୍ଛ ଭାରତ ସଂଯୋଜକ ଶ୍ୟାମ ସୁନ୍ଦର ପୁରୋହିତ, କୃଷକ ମୋର୍ଚ୍ଚା ନେତା କୈବଲ୍ୟ ପ୍ରଧାନ, ଆନନ୍ଦ ପ୍ରଧାନ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ନମିତା ରାଣୀ ଦାଶ ସାମିଲ ଥିଲେ ।