ବୌଦ୍ଧ,୧୦/୪- ଗତକାଲି ରାଜସ୍ୱ ହାନି କରୁଥିବା କ୍ରସର୍, ଇଟାଭାଟି ଓ ମାଟି ମାଫିଆ ମାନଙ୍କ ଉପରେ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର ଚଢାଉକରି ଜୋରିମାନା ଆଦାୟ କରିଥିବା ସ୍ୱାଗତଯୋଗ୍ୟ ପଦକ୍ଷେପ । ହରଭଙ୍ଗା ତହସିଲ୍ ଅନ୍ତର୍ଗତ ସମସ୍ତ ରାଜସ୍ୱ ସର୍କଲରେ ଶହଶହ ବେଆଇନ୍ ଇଟାଭାଟି ପୋଡିବା କାମ ଚାଲିଛି । ଫଳରେ ପରିବେଶ ପ୍ରଦୂଷଣ ହେବା ସହିତ ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । କେବଳ ଗୋଟିଏ କିମ୍ବା ଦୁଇଟି ଇଟାଭାଟି ମାଲିକଙ୍କୁ ୫/୧୦ ହଜାର ଜୋରିମାନା କରି ତହସିଲ୍ ପ୍ରଶାସନ ନିଜେ ବାହାବା ନ ନେଇ ତହସିଲ୍ ଅଂଚଳରେ ଚାଲିଥିବା ଶହଶହ ମାଟି ଇଟାଭାଟି ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣରେ ଦାବି ହେଉଛି । କେବଳ ହରଭଙ୍ଗା ବ୍ଲକ ନୁହେଁ ବୌଦ୍ଧ ଓ କଣ୍ଟାମାଳ ତହସିଲ୍ ଅଂଚଳରେ ମଧ୍ୟ ଶହ ଶହ ବେଆଇନ୍ ଇଟାଭାଟି ଖୁଲମ୍ଖୁଲା ଚାଲିଛି । ବୌଦ୍ଧ ତହସିଲ ଅନ୍ତର୍ଗତ ବିଭିନ୍ନ ରାଜସ୍ୱ ସର୍କଲରେ ଜଣେ ଜଣେ ଇଟାବେପାରୀ ଗତ ଡିସେମ୍ବର୍ ମାସରୁ ୫/୧୦ ଗୋଟି ଲେଖାଏଁ ଇଟାଭାଟି ପୋଡି ସାରିଲେଣି । ରାଜସ୍ୱ ବିଭାଗର ଜାଣତରେ ଏସବୁ ବେଆଇନ୍ କାମ ଚାଲୁଥିବା ଯୋଗୁଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଜନସାଧାରଣରେ ଆଲୋଚନା ହେଉଛି । ଇଟାଭାଟି ପୋଡିବା ପାଇଁ ବ୍ରଜରାଜନଗର ଓ ତାଳଚେର ଅଂଚଳରୁ ପ୍ରତିଦିନ ଟ୍ରକ୍ ଟ୍ରକ କୋଇଲା ଜିଲ୍ଲାକୁ ଆସୁଥିଲେ ମଧ୍ୟ ତାହା ଉପରେ ପ୍ରଶାସନର କୌଣସି ଲଗାମ ରହୁନଥିବା ଦେଖିବାକୁ ମିଳୁଛି । କେବଳ ଶିଳ୍ପ ଓ ରୋଷେଇ ପାଇଁ କୋଇଲା ଯୋଗାଣର ନିୟମ ରହିଥିବାବେଳେ ଜିଲ୍ଲାକୁ ଇଟାଭାଟି ପୋଡିବା ପାଇଁ କେମିତି କୋଇଲା ଆସୁଛି ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାଜସ୍ୱ ବିଭାଗ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଚଢାଉ କରି ନିଜ କର୍ତ୍ତବ୍ୟ ପାଳନ କରି ଚୁପ୍ ବସି ପଡିଲେ ହେବ ନାହିଁ ନିୟମିତ ଧାରାରେ ଚଢାଉ ଜାରି ରଖିବାକୁ ଜନସାଧାରଣରେ ଦାବି ହେଉଛି ।