ସମିତି ଉପରେ ସାର ବୋଝ ଦେଇ ଖସିବାକୁ କୃଷି ବିଭାଗର ଉଦ୍ୟମ !

0 868

ବୌଦ୍ଧ/ମନମୁଣ୍ଡା/ବାଉଁଶୁଣୀ,୨୫/୯ – ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ବ୍ୟାପକ କଳାବଜାର ଓ ଅଭାବ ଯୋଗୁଁ ଚାଷୀ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ଏଭଳି ମୁହୁର୍ତ୍ତରେ କୃଷି ବିଭାଗ କିନ୍ତୁ ବେଫିକର୍‌ । ଗତ ୬ ତାରିଖରେ ମନମୁଣ୍ଡା ଥାନା ବିଳାସପୁର ଗ୍ରାମ ପଂଚାୟତ ପଦରପଡା ଗ୍ରାମରୁ କଣ୍ଟାମାଳ ଅତିରିକ୍ତ ତହସିଲଦାର ବିଭିନ୍ନ ପ୍ରକାର ୨୮୦ ବସ୍ତା ସାରକୁ ଟ୍ରକ ସହ ଜବତ କରି ମନମୁଣ୍ଡା ଥାନାକୁ ଆଣିଥିଲେ । ଉକ୍ତ ସାର ଟ୍ରକରେ ଲଦା ହୋଇ ୧୫ ଦିନରୁ ଉର୍ଦ୍ଧ୍ୱ ସମୟ ମନମୁଣ୍ଡା ଥାନାରେ ବର୍ଷା ପାଣି ଖାଇ ବାହାରେ ପଡିବାପରେ ଗତକାଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଚେତା ପଶିଛି । ଦୁଇ ଦିନ ତଳେ ଜିଲ୍ଲା ଗସ୍ତରେ ଆସିଥିବା କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଜବତ ସାର ଚାଷୀଙ୍କୁ ବିକିବା ପାଇଁ ନିର୍ଦ୍ଦେଶ ଦେଇଥିବା ଶୁଣିବାକୁ ମିଳେ । ଗତକାଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନମୁଣ୍ଡା ଥାନା ଅଧିକାରୀଙ୍କୁ ଚିଠି ଲେଖି ସମସ୍ତ ସାର ମନମୁଣ୍ଡା ସେବା ସମବାୟ ସମିତିର ସମ୍ପାଦକଙ୍କୁ ହସ୍ତାନ୍ତର କରିବା ପାଇଁ କହିଥିବା ଜଣାପଡିଛି । ଉକ୍ତ ସାରକୁ ବିକ୍ରୀ କରି ଦୁଇ ଦିନ ଭିତରେ ପରିବହନ ଖର୍ଚ୍ଚ ସହ ସାରର ଉପଯୁକ୍ତ ସରକାରୀ ମୂଲ୍ୟ ପଇଠ କରିବାକୁ ସମିତି ସମ୍ପାଦକଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ବର୍ତ୍ତମାନ ୟୁରିଆ ସାରର ଆବଶ୍ୟକତା ଥିବାବେଳେ ଜବତ ହୋଇଥିବା ୨୮୦ ବସ୍ତା ସାର ପଟାସ ଓ ୨୦-୨୦-୪୦ ହୋଇଥିବାରୁ ସମିତି ବର୍ତ୍ତମାନ କାହାକୁ ବିକିବ ଓ ଦୁଇ ଦିନ ମଧ୍ୟରେ କେମିତି ଜମା କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ନିଜର ଗୋଦାମ ଓ ବିକିବା ପାଇଁ କର୍ମଚାରୀ /ଅଧିକାରୀ ଥାଇ ମଧ୍ୟ ସାର ବିକ୍ରୀନକରି ସମିତିକୁ ଦେଇ କୃଷି ଅଧିକାରୀ ନିଜ ମୁଣ୍ଡରୁ ଦୋଷ ଆଡେଇବାର ପ୍ରୟାସ କରୁଥିବା ଆଲୋଚନା ହେଉଛି । ସେହିପରି ଗତ ୪ ଦିନ ତଳେ ବୌଦ୍ଧ ତହସିଲଦାର ବାଉଁଶୁଣି ଥାନା ଅଂଚଳର ଦନ୍ତାପାଲି ଗ୍ରାମରୁ ୧୨୪ ବସ୍ତା ଓ ଛେଳିବାହାଲ୍‌ ଗ୍ରାମରୁ ୧୮ ବସ୍ତା ୟୁରିଆ ସାର ଜବତ କରିଥିବା ଜଣାପଡିଛି । ଉକ୍ତ ସାରଗୁଡିକ ଉପରେ ମଧ୍ୟ କୃଷି ବିଭାଗ ଆଜିଯାଏଁ କୌଣସି ନିଷ୍ପତ୍ତି ନେଇପାରିନଥିବା ଜଣାଯାଏ ।
କୃଷିବିଭାଗ ଅଧିକାରୀମାନଙ୍କ ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁଁ ସବୁବେଳେ ବୌଦ୍ଧ ଜିଲ୍ଲାର ଚାଷୀ ଅସୁବିଧାରେ ପଡୁଥିବା ଅଭିଯୋଗ ହୁଏ । ନିଜ ମୁଣ୍ଡରୁ ଦୋଷ ଛଡାଇ ରାଜସ୍ୱ ଓ ସମବାୟ ବିଭାଗ ଉପରେ ସର୍ବଦା ଦୋଷ ଲଦି ଦେଉଥିବା କୃଷି ବିଭାଗର କାର୍ଯ୍ୟକୁ ଜନସାଧାରଣରେ ନାପସନ୍ଦ କରାଯାଉଛି । ଜିଲ୍ଲାପାଳ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମହଲରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

6 + four =