ବୌଦ୍ଧ: ଜିଲ୍ଲାରେ ପୁଣି ୭ କରୋନା ପଜିଟିଭ, ଟିକାପାଇଁ ଲୋକଙ୍କ ଭିଡ

0 1,399

ବୌଦ୍ଧ,୧୭/୪- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୭ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬୮ରେ ପହଞ୍ଚିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ ୭ ଜଣ ନୂତନ ଭାବେ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୪ ଜଣ, ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମ ପଞ୍ଚାୟତ ମାଉଳିସିଙ୍ଗା ଗ୍ରାମରୁ ୧ ଜଣ, ବୌଦ୍ଧବ୍ଲକ୍‌ ବଘିଆପଡା ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ, ତେଲିବନ୍ଧ ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ବୌଦ୍ଧସ୍ଥିତ କରୋନା ଟିକା ପ୍ରଦାନ କେନ୍ଦ୍ରରେ ଟିକା ନେବା ପାଇଁ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା ।କମ୍‌ ପରିମାଣର ଟିକା ଥିବା ହେତୁ ଅନେକ ଲୋକ ଟିକା ନ ନେଇ ଫେରି ଆସିବାକୁ ବାଧ୍ୟ ହୋଇଥିଲେ । ପୁରୁଣା ଜେଲ୍‌ ପରିସରରେ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ପୁନର୍ବାର ଆରମ୍ଭ କରାଯାଇଥିବା ଯୋଗୁଁ ପୁରୁଣା ବ୍ଲକ୍‌ କାର୍ଯ୍ୟାଳୟକୁ ଟିକାକରଣ କେନ୍ଦ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଫୁଲବାଣୀ ଆଞ୍ଚଳିକ ଟିକା ଷ୍ଟୋରରୁ ଆଜି ସନ୍ଧ୍ୟା ସୁଦ୍ଧା ୨୩୦୦ ଡୋଜ୍‌ ଟିକା ଜିଲ୍ଲାରେ ପହଞ୍ଚିବ ବୋଲି ସିଡିଏମଓ ଡାକ୍ତର ପ୍ରଧାନ ସୂଚନା ଦେଇଛନ୍ତି । ଆବଶ୍ୟକ ଅନୁଯାୟୀ ଟିକା ଯୋଗାଣ ହୋଇପାରୁନଥିବା ହେତୁ ଟିକାକରଣ ହୋଇପାରୁନାହିଁ । ତେଣୁ ଜନସାଧାରଣଙ୍କୁ ଅପେକ୍ଷା କରିବାକୁ ପଡିବ । କେବଳ ଟିକା ଉପରେ ନିର୍ଭର ନକରି କୋଭିଡ ନିୟମ ମାନି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର ବ୍ୟବହାର କରିବା ଓ ବାରମ୍ବାର ହାତ ଧୋଇବା, ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା ଆଦି ଉପରେ ଗୁରୁତ୍ୱ ଦେବାକୁ ଜନସାଧାରଣଙ୍କୁ ଡାକ୍ତର ପ୍ରଧାନ ଅନୁରୋଧ କରିଛନ୍ତି । ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଟିକା ପ୍ରଦାନ ଉପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଉଦ୍ୟମ କରୁଛି ଓ ସମସ୍ତଙ୍କୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ସିଡିଏମଓ ପରାମର୍ଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twenty + 7 =