ବୌଦ୍ଧ,୧୦/୧୨ -ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତର ସୋନପୁରିଆ ପଡାରେ ଶତାଧିକ ବର୍ଷର ଗୋଟିଏ କୋଠା ଅସୁରକ୍ଷିତ ଅବସ୍ଥାରେ ରହିଥିବା ଯୋଗୁଁ ସ୍ଥାନୀୟଲୋକେ ବିପଦପୂର୍ଣ୍ଣ ମନେ କରୁଛନ୍ତି । କେଉଁ ସମୟରେ ଉକ୍ତ କୋଠା ଭୁଶୁଡି ପଡିବ ଓ ସାଧାରଣ ଲୋକଙ୍କ ଧନ ଜୀବନର କ୍ଷତି ଘଟାଇବ ବୋଲି ଲୋକେ ଆତଙ୍କିତ ହେଉଛନ୍ତି । ଘରର ମାଲିକ କିଏ ସେ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣି ନାହାନ୍ତି ଓ ବୌଦ୍ଧର କିଏ ଜଣେ ମାରୁୱାଡି ଲୋକ ଏ କୋଠାକୁ କିଣିଥିବା ସୂଚନା ଦିଅନ୍ତି । ଉକ୍ତ ପ୍ରାଚୀନ କୋଠାରେ କେହି କେବେ ରହୁ ନଥିବା ବେଳେ ରକ୍ଷଣା ବେକ୍ଷଣ ଅଭାବରୁ ଦିନକୁ ଦିନ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିବା ଦେଖିବାକୁ ମିଳୁଛି । କୋଠାର ମାଲିକ ପୁନଃଉଦ୍ଧାର କରିବା କିମ୍ବା ମରାମତି କାର୍ଯ୍ୟ କରୁନଥିବା ହେତୁ କେଉଁ ସମୟରେ ଭାଙ୍ଗି ଧନଜୀବନର କ୍ଷତି ଘଟାଇବା ଆଶଙ୍କା ଥିବାରୁ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣ ଦାବୀ କରିଛନ୍ତି ।