ଜହ୍ନାପଙ୍କ, ୨୪/୭ – ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ସୁରକ୍ଷିତ ଘର ତଥା ପକ୍କାଘର ଯୋଗାଇ ଦେବାପାଇଁ ବିଜୁ ପକ୍କାଘର ଓ ଆବାସ ଯୋଜନା କରିଛନ୍ତି । କିନ୍ତୁ ବୌଦ୍ଧ ବ୍ଲକର କିଛି ଅସାଧୁ କର୍ମଚାରୀ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ନପହଞ୍ଚି ଧନୀଶ୍ରେଣୀର ଲୋକ ହାତେଇ ନେଇଥିବା ପୂର୍ବରୁ ପ୍ରମାଣିତ ହୋଇଛି । ଏପରି ଏକ ସଙ୍ଗୀନ ଅଭିଯୋଗ ଆସିଛି ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗତୀ ଗାଁରେ । ଜଗତି ଗାଁର ଲକ୍ଷ୍ମଣ ନାଏକ ୨୦୧୬-୧୭ ମସିହାରେ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିଲେ ଏବଂ ଧାରକରଜ କରି ଘରର ଫାଉଣ୍ଡେସନ ପର୍ଯ୍ୟନ୍ତ କରିଥିଲେ । କାରଣ କାର୍ଯ୍ୟାଦେଶ ସହିତ ୨୦ ହଜାରଟଙ୍କା ଜମାବହିରେ ଜମା ହୋଇଥାଏ । ଯେତେବେଳେ ସେ ବ୍ୟାଙ୍କକୁ ଗଲେ ଦେଖିଲେ ତାଙ୍କ ଖାତାରେ ଟଙ୍କା ଜମା ହୋଇନାହିଁ । ଏନେଇ ସେ ବିଡିଓଙ୍କୁ ଅଭିଯୋଗ କଲାପରେ ସେ ଜାଣିବାକୁ ପାଇଲେ ତାଙ୍କ ପାସବୁକ ନଂ ୪୧୩୦୧୦୧୦୦୧୭୪୬ରେ ଉକ୍ତ ଟଙ୍କା ଜମାନହୋଇ ମୁଣ୍ଡିପଦର ପଞ୍ଚାୟତର ଲକ୍ଷ୍ମଣ ନାଏକଙ୍କ ପାସବୁକ ନଂ ୪୧୩୦୧୦୧୦୦୧୭୧୬ରେ ଉକ୍ତ ଟଙ୍କା ଜମା ହୋଇଛି । ବୌଦ୍ଧବିଡିଓ ୭/୭/୨୦ରେ ବୌଦ୍ଧ କାନାରା ବ୍ୟାଙ୍କକୁ କେବଳ ଚିଠି ଲେଖିଦେଇ ଚୁପ୍ ବସିଛନ୍ତି । ଏପଟେ ହିତାଧିକାରୀ କରଜକରି ଆଣିଥିବା ଟଙ୍କାକୁ ପରିଶୋଧ ନକରିପାରିବାରୁ ଅନ୍ୟଜିଲ୍ଲାକୁ କାମ କରିଯାଇଥିବା ତାଙ୍କ ସ୍ତ୍ରୀ ସତ୍ୟଭାମା ନାଏକ ଅଶ୍ରୁ ଛଳଛଳ ଆଖିରେ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ଘରସଂପୂର୍ଣ୍ଣ ହୋଇନପାରିବାରୁ ତିନି ମା ପୁଅ ଚିରା ପଲିଥିନ ତଳେ ଆଶ୍ରୟ ନେଇଛନ୍ତି । ସାମାନ୍ୟ ବର୍ଷାହେଲେ ପାଣି ଗଳୁଥିବାରୁ ବହୁ ଅସୁବିଧାରେ ରହୁଥିବା ଶ୍ରୀମତୀ ନାଏକ କୁହନ୍ତି । ଏହି ପଞ୍ଚାୟତରେ ପୂର୍ବରୁ ବିଜୁ ପକ୍କାଘର, ଆବାସ ଘର ଚୋରି ହୋଇଥିବାବେଳେ ବର୍ତ୍ତମାନ ତୃତୀୟ ଆବାସଘର ଚୋରି ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ବୌଦ୍ଧବ୍ଲକ ସଦର ମହକୁମାଠାରୁ ମାତ୍ର ୧୧ କି.ମି ଦୂରରେ ଥିବା ଜଗତି ଗାଁରେ ଯଦି ଏଭଳି ଘଟଣା ଘଟୁଛି ତେବେ ବ୍ଲକର ଆଭ୍ୟନ୍ତରୀଣ ଗାଁରେ କଣ ହେଉଥିବ ଏଥିରୁ ସହଜେ ଅନୁମେୟ । ଜିଲ୍ଲାପାଳ ଏହାର ତଦନ୍ତକରି ସଂପୃକ୍ତ ବ୍ଲକ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।