ବୌଦ୍ଧରେ ଗଭୀର ନଳକୂପ ଯୋଜନା ଦିଗହରା: ପମ୍ପ ଲାଗିନି, ବିଦ୍ୟୁତ ସଂଯୋଗ ନାହିଁ କିନ୍ତୁ ବିଲ୍‌ ଆସିଥିବା ଅଭିଯୋଗ

0 136

ବୌଦ୍ଧ/ଜହ୍ନାପଙ୍କ,୭/୭- ବୌଦ୍ଧବ୍ଳକ ବ୍ରାହ୍ମଣୀପାଲି ପଞ୍ଚାୟତର ସଦର ଗାଁ ଓ କାଶଲପୁର ଗ୍ରାମରେ ଚାଷୀଙ୍କ ପାଇଁ ଖୋଳା ଯାଇଥିବା ଗଭୀର ନଳକୂପ ଯୋଜନା ଦିଗହରା ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ଦୁଇ ଗାଁ ରେ ଜଳସେଚନର ବିଶେଷ ସୁବିଧା ନଥିବାରୁ ୨୦୧୫ ମସିହାରେ ଜଳସେଚନ ପାଇଁ ବୌଦ୍ଧ ଉଠାଜଳସେଚନ ବିଭାଗ ପକ୍ଷରୁ ଚାଷୀଙ୍କ ସହିତ ଯୋଗାଯୋଗ କରି ଅଟକଳ କରାଯାଇଥିଲା । ସମୁଦାୟ ଅଟକଳର ସରକାର ୯୦ ପ୍ରତିଶତ ବହନ କରୁଥିବାବେଳେ ଚାଷୀଙ୍କ ୧୦ ପ୍ରତିଶତ ଅଂଶ ଥିଲା । ଏହି ପରିପ୍ରେକ୍ଷୀରେ କାଶଲପୁର ଗ୍ରାମର ଚାଷୀ ରମେଶ ଦାସ,ଦଶରଥ ବାଘ, ସୁରେଶ ଚନ୍ଦ୍ର ଦାସ, ସବିତା ଦାସ, ପଦ୍ମିନୀ ଦାସ,ଅଶୋକ ଦାସ,ଅରୁଣ ବାଘ ଓ ବ୍ରାହ୍ମଣୀପାଲି ଗ୍ରାମର ଚାଷୀ ରଞ୍ଜିତ ପ୍ରଧାନ, ତୀର୍ଥ ମୋହନ ବାରିକ,ବିପିନ ପ୍ରଧାନ ୧୪୦୦ ଟଙ୍କା ଲେଖାଏଁ ଉଠାଜଳସେଚନ ବିଭାଗରେ ଜମା କରିଥିଲେ । ଏହାପରେ ଗଭୀର ନଳକୂପ ଖୋଳାଯାଇ ବିଦ୍ୟୁତ ତାର ଟଣାଯାଇ ଟ୍ରାନ୍ସଫର୍ମର ବସିଲା । ମିଟର ମଧ୍ୟ ଲାଗିଲା । ହିତାଧିକାରୀ ପାଣି ମଟର ପାଇଁ ଦୌଡିଦୌଡି ନୟାନ୍ତ ହେଲେ ସିନା ମୋଟର ବସିଲା ନାହିଁ । ତେବେ ଆଶ୍ଚର୍ଯ୍ୟର ବିଷୟ କୌଣସି ଅଫିସର ମଧ୍ୟ ଫିଲଡ଼ ଭିଜିଟରେ ନଯାଇ କାଗଜପତ୍ରରେ ପ୍ରକଳ୍ପ ଚାଲୁଥିବା ଦର୍ଶାଇ ବିଦ୍ୟୁତ ବିଭାଗ ନିକଟରେ ରମେଶଙ୍କ ନାମରେ ୫୫୮୦୪ ଟଙ୍କା, ରଞ୍ଜିତ ଙ୍କ ୨୦,୭୦୫ ଟଙ୍କା, ଦଶରଥଙ୍କ ୨୧,୮୯୦ ଟଙ୍କା, ସୁରେଶଙ୍କ ୨୬,୮୩୪ ଟଙ୍କା, ଦେବେନ୍ଦ୍ର ଙ୍କ ୨୫,୫୬୦ ଟଙ୍କା, ସବିତା ୨୭,୮୦୪ ଟଙ୍କା, ତୀର୍ଥ ଙ୍କ ୨୫,୭୦୬ ଟଙ୍କା, ବିପିନ ୨୩,୪୦୫, ସୁରେନ୍ଦ୍ରଙ୍କ ୨୨,୬୦୫ ଟଙ୍କା, ପଦ୍ମିନୀ ୨୧,୫୭୩ ଟଙ୍କା, ଅଶୋକ ୧୭,୮୮୪ ଓ ଅରୁଣ ଙ୍କ ନାମରେ ୨୩,୦୦୦ ଟଙ୍କାର ବିଲ ଆସିଥିବାରୁ ସେମାନେ ଚିନ୍ତାରେ ପଡିଛନ୍ତି । ଅପରପକ୍ଷରେ ବିନା ମୋଟରରେ ବିଦ୍ୟୁତ ସଂଯୋଗ ନଥାଇ କିପରି ବିଲ କରାଗଲା ବିଦ୍ୟୁତ ବିଭାଗର ଭୂମିକା ସନ୍ଦେହ ଜନକ ହୋଇଛି । ଏସମ୍ପର୍କରେ ବିଦ୍ୟୁତ ବିଭାଗ ଏସ୍‌ଡିଓଙ୍କ ସହିତ ଯୋଗାଯୋଗ କରିବାରୁ ହିତାଧିକାରୀ ଚୁକ୍ତିନାମା କଲାପରେ ବିଦ୍ୟୁତ ସଂଯୋଗ କରାଯାଇଛି । ତେବେ ଉଠାଜଳସେଚନ ବିଭାଗରେ ଯୋଗାଯୋଗ କଲେ ପ୍ରକୃତ ତଥ୍ୟ ପାଇ ପାରିବେ । ଅନ୍ୟ ପକ୍ଷରେ ବିଦ୍ୟୁତ ବିଲ ଯଦି ବାତିଲ କରାନଯାଏ ତେବେ ଆନ୍ଦୋଳନକୁ ଓହ୍ଲାଇବାକୁ ହିତାଧିକାରୀ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

4 + thirteen =