ବୌଦ୍ଧ,୨/୧୨ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମ ପଞ୍ଚାୟତ ନାରାୟଣପୁର୍ ଗ୍ରାମରେ ୨୦୧୮ – ୧୯ ବର୍ଷରେ ଆମ ଗାଆଁ ଆମ ବିକାଶ ଯୋଜନାର ଅନୁଦାନରେ ଖେଳପଡିଆର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏ ମଧ୍ୟରେ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଏ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ । ମିଳିଥିବା ସୂଚନା ଅନୁଯାୟୀ ନାରାୟଣପୁର ଖେଳପଡିଆ ଉନ୍ନତିକରଣ ନାମରେ ମାତ୍ର ୨୦/୨୫ ଟ୍ରାକ୍ଟର ମାଟିପକାଯାଇଥିବା ବେଳେ ଗୋଟିଏ ମଣ୍ଡପ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ କରି ଛାଡି ଦିଆଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । କାର୍ଯ୍ୟସ୍ଥଳରେ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇନଥିବା ହେତୁ ଏ କାମର ବିବରଣୀ ଓ କେତେ ଟଙ୍କାର ଅନୁଦାନ ତାହା ଜନସାଧାରଣ ଜାଣିବା ସମ୍ଭବ ହୋଇପାରୁନାହିଁ । କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଗ୍ରାମବାସୀ ଅନେକ ଥର ବ୍ଲକ୍ କର୍ତୃପକ୍ଷଙ୍କୁ ଲିଖିତ ଓ ମୌଖିକ ଅନୁରୋଧ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି । ଉକ୍ତ କାର୍ଯ୍ୟଟି ଜଣେ କନିଷ୍ଠଯନ୍ତ୍ରୀଙ୍କ ନାମରେ ବିଭାଗୀୟ କାର୍ଯ୍ୟାଦେଶ ଥିଲା ଓ ସେ ବର୍ତ୍ତମାନ ଅନ୍ୟ ବ୍ଲକକୁ ବଦଳି ହୋଇ ଚାଲିଯାଇଥିବା ବ୍ଲକ୍ କାର୍ଯ୍ୟାଳୟରୁ ସୂଚନା ମିଳିଛି । ତୁରନ୍ତ ଏ ପ୍ରକଳ୍ପ କାମ ସଂପୂର୍ଣ୍ଣ କରାଯିବାକୁ ଜନସାଧାରଣରେ ଦାବି ହେଉଛି ।