ବୌଦ୍ଧ: ନାରାୟଣନଗର ଗ୍ରାମରୁ ଆଜି ପୁଣି ୧୦ ପଜିଟିଭ ଚିହ୍ନଟ, ଗାଆଁରେ ପହଞ୍ଚିଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ

0 3,415

ବୌଦ୍ଧ,୧୨/୮ : ଆଜି ଜିଲ୍ଲାରେ ପୁଣି ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏ ସମସ୍ତ ପଜିଟିଭ ବୌଦ୍ଧବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମ୍‌ ପଂଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମରୁ ଚିହ୍ନଟ ହୋଇଥିବା ଜଣାପଡିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋନପୁର ଜିଲ୍ଲା ପଟାଭାଡି ଅଂଚଳରୁ ଆସି ନାରାୟଣ ନଗର ଗ୍ରାମରେ କିଛି ଦିନ ରହିଥିବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା ଓ ସେଥିରୁ ଏହି ୧୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜି ସୁଦ୍ଧା ନାରାୟଣ ନଗର ଗ୍ରାମରୁ ୪୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇ ସାରିଲେଣି । ନାରାୟଣ ନଗର କରୋନାର ହଟସ୍ପଟ୍‌ ସାଜିଛି । ଆଜି ସକାଳେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓ, ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାସ, ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ରଶ୍ମିତା ପ୍ରଧାନ, ଖୁଣ୍ଟବନ୍ଧ ଆର.ଆଇ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ନାରୟଣ ନଗର ଗ୍ରାମରେ ପହଞ୍ଚି ସରପଞ୍ଚ ରାଜେନ୍ଦ୍ର ମେହେରଙ୍କ ଉପସ୍ଥିତିରେ ଗ୍ରାମର ପରିସ୍ଥିତିକୁ ନେଇ ସମୀକ୍ଷା କରିଥିଲେ । ନାରାୟଣ ନଗର ଜିଲ୍ଲାର ଏକ ଜନବହୁଳ ଗ୍ରାମ ହୋଇଥିବାରୁ ଓ କିଛି ଲୋକ କଣ୍ଟେନମେଣ୍ଟକୁ ଖୋଲାଖୋଲି ଉଲଙ୍ଘନ କରୁଥିବାରୁ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି ।
ଆଜି କଣ୍ଟାମାଳ ବ୍ଲକ୍‌ କୁଲୁତାଜୋର୍‌ ଗ୍ରାମ୍‌ ପଂଚାୟତର କେଉଁଟିପାଲି ଗ୍ରାମରୁ ମଧ୍ୟ କରୋନା ପଜିଟିଭ ବାହାରିଥିବା ସରପଞ୍ଚ ସୁଚନା ଦେଇଛନ୍ତି । ଉକ୍ତ ଗ୍ରାମକୁ ଆସନ୍ତା ୧୫ ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ମାତ୍ର ଆଶ୍ଚର୍ଯ୍ୟର କଥା କେଉଁଟିପାଲି ଗ୍ରାମରୁ କେହି କରୋନାରେ ଆକ୍ରାନ୍ତ ହୋଇଥିବା ସମ୍ପର୍କରେ ସିଡିଏମଓ କିଛି ଜାଣିନଥିବା ପ୍ରକାଶ କରିଛନ୍ତି । କରୋନା ସମ୍ପର୍କରେ ପ୍ରଶାସନିକ ସ୍ତରରେ ତାଳମେଳର ଅଭାବ ଓ ସୂଚନା ଆଦାନ ପ୍ରଦାନରେ ସମନ୍ୱୟର ଅଭାବ ଜିଲ୍ଲାରେ ଆଗକୁ ବିଷମ ପରିସ୍ଥିତି ସୃଷ୍ଟି ନ କରିବ ବୋଲି କହି ହେଉନାହିଁ ।

hiranchal ad1
Leave A Reply

Your email address will not be published.

thirteen + 6 =