ବୌଦ୍ଧ,୧୬/୦୬ – ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ ଗାଆଁ ମଝିରେ ଯାଇଥିବା ୧୧ କେ.ଭି. ଜୀବନ୍ତ ବିଦ୍ୟୁତ୍ ତାର ଛିଣ୍ଡି ପଡି ଦେହରେ ଗୁଡେଇ ହୋଇଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ୍ ପଦ୍ମନପୁର୍ ଗ୍ରାମ ପଞ୍ଚାୟତ ବଡ଼ ଖଲିଗାଁ ଗ୍ରାମର ତରଙ୍ଗିଣୀ ରଣା (୫୦) ପାଣି ଆଣିବା ପାଇଁ ଗାଆଁ ଦାଣ୍ଡରେ ଥିବା ନିକଟସ୍ଥ ନଳକୂପକୁ ଯାଉଥିଲେ । ଏ ସମୟରେ ହଠାତ୍ ଗାଆଁ ଦାଣ୍ଡ ଉପରେ ଯାଇଥିବା ୧୧ କେ.ଭି.ଜୀବନ୍ତ ବିଦ୍ୟୁତ୍ ତାର ଛିଣ୍ଡି ପଡି ତାଙ୍କ ଦେହରେ ଗୁଡେଇ ହୋଇଯାଇଥିଲା । ଫଳରେ ବିଦ୍ୟୁତ ଆଘାତରେ ଘଟଣାସ୍ଥଳରେ ହିଁ ସେ ମୃତ୍ୟୁବରଣ କରିଥିଲେ । ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କୁ ଫୋନ୍ କଲା ପରେ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯାଇଥିଲା ହେଲେ ସେତେବେଳକୁ ତାଙ୍କ ଜୀବନ ଚାଲିଯାଇଥିଲା ।