ସନ୍ତୋଷିନୀ ଜେନା ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

0 6,870

ବୌଦ୍ଧ,୬/୧୧ – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ବୀରନରସିଂହପୁର ଗ୍ରାମ ପଂଚାୟତ ବୀରରାମଚନ୍ଦ୍ରପୁର୍‌ ଗ୍ରାମରେ ଗତ ରବିବାର ଘଟିଥିବା ସନ୍ତୋଷିନୀ ଜେନା ମୃତ୍ୟୁ ମାମଲାର ପରଦା ହଟାଇବାରେ ବୌଦ୍ଧ ଆଦର୍ଶ ଥାନା ପୋଲିସ୍‌ ସଫଳ ହୋଇଛି । ଆଜି ବୌଦ୍ଧ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉପଖଣ୍ଡ ପୋଲିସ ଅଧିକାରୀ ସାଲେଷ୍ଟିନ୍‌ ଟିଗା । ମିଳିଥିବା ସୂଚନା ଅନୁଯାୟୀ ମୃତ ସନ୍ତୋଷିନୀ ସହ ଅଭିଯୁକ୍ତ ଯୋଗେଶ୍ୱର ବେହେରା (୨୮ ) ଙ୍କ ପରକୀୟା ପ୍ରୀତି ସମ୍ପର୍କ ଥିଲା । ସନ୍ତୋଷିନୀଙ୍କ ସ୍ୱାମୀ ଅଷ୍ଟମୀ ବାହାରେ କାମ କରୁଥିବାରୁ ଏହାର ସୁଯୋଗ ଉଭୟେ ନେଉଥିଲେ । ପୂର୍ବରୁ ଦୁଇଥର ଗର୍ଭପାତ କରାଇଥିବା ସନ୍ତୋଷିନୀ ମୃତ୍ୟୁବେଳକୁ ମଧ୍ୟ ଅନ୍ତଃସତ୍ୱା ଥିଲେ । ଗର୍ଭପାତ ପାଇଁଁ ଯୋଗେଶ୍ୱର ବାରମ୍ବାର ସନ୍ତୋଷିନୀକୁ କହୁଥିଲେ ମଧ୍ୟ ସନ୍ତୋଷିନୀ ମନା କରୁଥିଲେ । ସେଥିପାଇଁ ତାହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ଥର ପାଟିତୁଣ୍ଡ ମଧ୍ୟ ହୋଇଥିଲା । ସନ୍ତୋଷିନୀ ଅଭିଯୁକ୍ତଙ୍କ ଘରେ ରହିବେ ବୋଲି ମଧ୍ୟ ଜିଦ୍‌ କରୁଥିଲେ । ଗତ ୩ ମାସ ତଳେ ଅଭିଯୁକ୍ତ ଯୋଗେଶ୍ୱର ବିବାହ କରିଥିବାରୁ ସନ୍ତୋଷିନୀଙ୍କ ଗର୍ଭପାତ କରାଇ ଦେବାକୁ ଚାହୁଁଥିଲେ । ଗତ ରବିବାର ଦିନ ରାତିରେ ଗ୍ରାମରେ ଲକ୍ଷ୍ମୀ ପୂଜା ହେଉଥିଲା । ଯୋଗେଶ୍ୱର ଫୋନ୍‌ କରିଥିଲେ ମଧ୍ୟ ସନ୍ତୋଷିନୀ ଉଠାଇ ନଥିଲେ । ଫୋନଟି ତାଙ୍କ ଯା ଉଠାଇବାରୁ ଯୋଗେଶ୍ୱର ସନ୍ତୋଷିନୀ କୁଆଡେ ଯାଇଛନ୍ତି ବୋଲି ପଚାରିବାରୁ ଶୌଚପାଇଁ କେନାଲଆଡେ ଯାଇଥିବା କହିଥିଲେ । ଏହାପରେ ଯୋଗେଶ୍ୱର ଶୌଚପାଇଁ ଯାଇଥିବା ସନ୍ତୋଷିନୀଙ୍କ ପିଛାକରି କେନାଲ ଆଡେ ଯାଇଥିଲା । ଘରଠାରୁ ପ୍ରାୟ ୩୦୦ ମିଟର ଦୂରରେ ଉଭୟ ଭେଟ ହୋଇ ଗର୍ଭପାତ କରାଇବାକୁ ନେଇ ଯୁକ୍ତିତର୍କ ହୋଇଥିଲେ । ଯୋଗେଶ୍ୱର ସେଠାରେ ସନ୍ତୋଷିନୀକୁ ଠେଲି ଦେବାରୁ କେନାଲର କଂକ୍ରିଟ ଗାର୍ଡ ୱାଲରେ ମୁଣ୍ଡବାଜି ତଳେ ପଡି ଯାଇଥିଲେ । ତାପରେ ତାଙ୍କର ମୁହଁକୁ ୩/୪ ମୁଥ ମାରିବା ପରେ ପିନ୍ଧା ଲୁଗା ସାହାଯ୍ୟରେ ତଣ୍ଟିକୁ ଚିପିି ମାରି ଦେଇଥିଲେ । ସନ୍ତୋଷିନୀଙ୍କ ସ୍ୱାମୀ ଅଷ୍ଟମୀଙ୍କ ଅଭିଯୋଗ ପ୍ରକାରେ ବୌଦ୍ଧ ଆଦର୍ଶ ଥାନା ପୋଲିସ୍‌ ଘଟଣାର ତଦନ୍ତ କରୁଥିଲା । ଗତକାଲି ଅଭିଯୁକ୍ତ ଯୋଗେଶ୍ୱରକୁ ଗିରଫ କରି ଆଜି ପୋଲିସ୍‌ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

eleven − five =