ଫୋଲୋଅପ୍‌ ନାହିଁ, ଫେଲ୍‌ ମାରୁଛି ବାଲ୍ୟ ବିବାହ ନିଷେଧ ଆଇନ୍‌ !

0 611

ବୌଦ୍ଧ,୨୦/୪ – ବୌଦ୍ଧଜିଲ୍ଲାରେ ନାବାଳିକା ବିବାହ ଆଇନ୍‌ ଫେଲ୍‌ ମାରୁଛି ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ଫୋଲୋଅପ୍‌ ହେଉନଥିବା କାରଣରୁ । ଚଳିତ ବିବାହ ଋତୁରେ ଶିଶୁ ସୁରକ୍ଷା ୟୁନିଟ ଓ ସମନ୍ୱିତ ଶିଶୁ ବିକାଶ ଯୋଜନାର ଅଧିକାରୀଙ୍କ ଦ୍ୱାରା କେତେକ ନାବାଳିକା ବିବାହକୁ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କିତ ଖବରଗୁଡିକ ପ୍ରକାଶିତ ହୋଇ ସମ୍ପୃକ୍ତ ବିଭାଗ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ପ୍ରଶଂସା କରାଯାଇଥିଲା । ମାତ୍ର ବର୍ତ୍ତମାନ ସେହି ଅଧିକାରୀମାନେ ଚୁପ୍‌ହୋଇ ବସିପଡିଥିବା ଦେଖିବାକୁ ମିଳିଛି । ସତେଯେମିତି ବିବାହ ବନ୍ଦ କରାଇ ସେମାନେ ତାଙ୍କ ଦାୟିତ୍ୱ ସାରି ଦେଇଛନ୍ତି । ଯେଉଁ ନାବାଳିକା ବିବାହ ସେମାନେ ବନ୍ଦ କରିଛନ୍ତି ସେ ନାବାଳିକା ବିବାହ ନହୋଇ ୧୮ ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ନିଜ ବାପ ଘରେ ଅଛି ନା ପ୍ରସ୍ତାବିତ ଶ୍ୱଶୁର ଘରେ ଅଛି ସେମାନଙ୍କ ପାଖରେ ଖବରନାହିଁ । ମିଳିଥିବା ସୂଚନା ଅନୁଯାୟୀ ଅନେକ ନାବାଳିକା ସେମାନଙ୍କ ଶ୍ୱଶୁର ଘରେ ବୋହୁ ହୋଇସାରିଛନ୍ତି । ଫଳରେ ଏ ଯୋଜନା ବିଫଳ ହୋଇଥିବା ଜନସାଧାରଣରେ ଆଲୋଚନା ହେଉଛି ।

hiring

ଅନ୍ୟ ଏକ ଅଭିଯୋଗ ଅନୁଯାୟୀ ବାଲ୍ୟବିବାହ ରୋକିବା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ପାଖରେ ଶେଷ ମୁହୂର୍ତ୍ତରେ ବାଲ୍ୟବିବାହ ସମ୍ପର୍କିତ ସୁଚନା ମିଳୁଥିବାରୁ ନାବାଳିକା ମାନଙ୍କ ପରିବାରଙ୍କ ଅନେକ କ୍ଷତିହେଉଛି । ନିର୍ବନ୍ଧ, ନିମନ୍ତ୍ରଣ ପତ୍ର ବଣ୍ଟନ, ଝିଅକୁ ଦେବାକୁଥିବା ଉପହାର କ୍ରୟ, ବେଦି ପକା, ଗନସନ, ବନ୍ଧୁବର୍ଗ ଓ ଅତିଥିମାନଙ୍କ ଆଗମନ ଓ ଭୋଜିଭାତ ରନ୍ଧାସରିବା ପରେ ବାଲ୍ୟବିବାହ ବନ୍ଦ କରିବାକୁ ଯାଉଛନ୍ତି । ଯାହା ଫଳରେ କନ୍ୟା ପିତା ଓ ବରପିତା ମାନଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡୁଛି । ଝିଅ ବାହାଘର ପାଇଁ ନ ଖାଇ ନ ପିଇ ସଞ୍ଚିତ କରିଥିବା ଅର୍ଥ ନିଜର ମୁର୍ଖତା ଓ ଅଜ୍ଞାନତା କାରଣରୁ ବରବାଦ ହେଉଥିବାବେଳେ ଉଭୟ ପରିବାର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଫଳରେ ବାଲ୍ୟବିବାହ ନିଷେଧ କରାଯାଇ ବିବାହ ବନ୍ଦ କରାଇବା ସତ୍ତେ୍ୱ କିଛିଦିନ ପରେ କନ୍ୟାପିତା ନାବାଳିକା କନ୍ୟାକୁ ଶାଶୁଘରକୁ ବିନା ଆଡମ୍ବରରେ ପଠାଇବାକୁ ବାଧ୍ୟ ହେଉଛନ୍ତି । ଶିଶୁ ସୁରକ୍ଷା ୟୁନିଟ ଓ ସମନ୍ୱିତ ଶିଶୁ ବିକାଶ ଯୋଜନାର ବାଲ୍ୟ ବିବାହ ରୋକିବା କାର୍ଯ୍ୟ ବିଫଳ ହେଉଥିବା ଜନସାଧାରଣରେ ଆଲୋଚନା ହେଉଛି । ସରକାର ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟକାରୀ କରି ପ୍ରତ୍ୟେକମାସରେ କର୍ମଚାରୀମାନଙ୍କ ପଛରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେମାନଙ୍କ କାର୍ଯ୍ୟ ପ୍ରଭାବିତ ହୋଇପାରୁନଥିବା ପରିତାପର ବିଷୟ । ଲୋକଙ୍କୁ ସଚେତନ କରାଇବା ସହ ନିଜେ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ନହୋଇ ଲୋକଙ୍କର କ୍ଷତି କରାଇଲେ ଏ ଯୋଜନାର କେବେ ସଫଳତା ହୋଇପାରିବ ନାହଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

one × 3 =