ଆର.ଆଇ.ମାନେ ଖସିଲେ, ବଳି ପଡିଲେ ଦୁଇ ପେକ୍ସ ସମ୍ପାଦକ

0 2,463

ବୌଦ୍ଧ,୧୩/୧ – ବୌଦ୍ଧ ଜିଲ୍ଲାର ବିଭିନ୍ନ ସମିତିରେ ଧାନ ପଞ୍ଜିକରଣ ସମୟରେ ଆଟ ଜମି ପଞ୍ଜିକରଣ କରାଯାଇଥିବା ମାମଲାରେ ଆଜି ଦୁଇ ଜଣ ସମିତି ସମ୍ପାଦକ ନିଲମ୍ବିତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍‌ ରାମଗଡ ପେକ୍ସ ସମ୍ପାଦକ ନିରୋଦ କୁମାର ପାତ୍ର ଓ ବୌଦ୍ଧବ୍ଲକ ବଘିଆପଡା ପେକ୍ସ ସମ୍ପାଦକ ନେତ୍ରାନନ୍ଦ ପୁରୋହିତଙ୍କୁ ସହକାରୀ ନିବନ୍ଧକ ସମବାୟ ସମିତି ସମୂହଙ୍କ ନିର୍ଦ୍ଦେଶକ୍ରମେ ସମିତି ଦାୟିତ୍ୱରେ ଥିବା ପ୍ରଶାସକମାନେ ନିଲମ୍ବିତ କରିଛନ୍ତି । ସେହିପରି ମୁଣ୍ଡାପଡା ସମ୍ପାଦକଙ୍କୁ ବଘିଆପଡା ଓ ତିଲେଶ୍ୱର୍‌ ସମ୍ପାଦକଙ୍କୁ ରାମଗଡ ପେକ୍ସର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଆଟ ଜମିରେ ଯଦି କୌଣସି ଚାଷୀ ଧାନ ଚାଷ କରିଥାଆନ୍ତି ତେବେ ସମ୍ପୃକ୍ତ ସର୍କଲର୍‌ ରାଜସ୍ୱ ନିରୀକ୍ଷକ ପ୍ରମାଣପତ୍ର ଦେଲେ ପଞ୍ଜିକରଣ କରାଯିବାକୁ ପ୍ରଶାସନ ଆଦେଶ ଦେଇଥିଲା । ସେହିକ୍ରମରେ ସମିତିର ସମ୍ପାଦକମାନେ ରାଜସ୍ୱ ନିରୀକ୍ଷକଙ୍କ ଚାଷ ହୋଇଥିବା ସମ୍ପର୍କୀତ ପ୍ରମାଣପତ୍ର ଦେଖି ଧାନ ପଞ୍ଜିକରଣ କରିଥିଲେ । ବର୍ତ୍ତମାନ ସେ ସମ୍ପର୍କରେ ଅଭିଯୋଗ ଆସିବା ପରେ ତଦନ୍ତ ହେବାରୁ ଅନେକ ଆଟ ଜମିରେ ଧାନ ଚାଷ ହୋଇ ନଥିବା ଦେଖିବାକୁ ମିଳିଥିଲା । ରାଜ୍ୟ ପ୍ରଶାସନ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ପରେ ଆଜି ଦୁଇ ଜଣ ସମ୍ପାଦକଙ୍କୁ ନିଲମ୍ବନ କରାଯାଇଥିବା ସହକାରୀ ନିବନ୍ଧକ ଭୀମସେନ ସାହୁ କହିଛନ୍ତି । ଅପରପକ୍ଷରେ ଆଟ ଜମିରେ ଧାନ ଚାଷ ହୋଇଥିବା ପ୍ରମାଣପତ୍ର ଦେଇଥିବା ରାଜସ୍ୱ ନିରୀକ୍ଷକ ମାନଙ୍କ ବିରୋଧରେ ପ୍ରଶାସନ କୌଣସି ପଦକ୍ଷେପ ନନେଇ ଚୁପ୍‌ ବସିଛି । ରାଜସ୍ୱ ନିରୀକ୍ଷକମାନଙ୍କୁ ପ୍ରଶାସନ ଘଣ୍ଟ ଘୋଡାଇ ପ୍ୟାକ୍ସ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପଦକ୍ଷେପକୁ ସର୍ବସାଧାରଣରେ ନାପସନ୍ଦ କରାଯାଉଛି । ସବୁ ଦୋଷ ଏଭଳି ଭାବରେ ପେକ୍ସ ସମ୍ପାଦକ ମାନଙ୍କ ଉପରେ ଢଳାଗଲେ ପ୍ରତିବାଦରେ ଆଗାମୀ ଦିନରେ ସମସ୍ତ ପେକ୍ସରେ ଧାନ କ୍ରୟ ବନ୍ଦ ରଖା ଯିବାର ସମ୍ଭାବନା ରହିଛି । ସେଥିପାଇଁ ପ୍ରଶାସନର ମୁଣ୍ଡ ବ୍ୟଥା ବଢିବା ସମ୍ଭାବନା ରହିଛି ।

hiranchal ad1
Leave A Reply

Your email address will not be published.

seven + eleven =