ବୌଦ୍ଧ,୨୧/୪ – ବୌଦ୍ଧଥାନା ବାମଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଲିମୁଣ୍ଡା ଗ୍ରାମରେ ଗତକାଲି ଏକ ଦୁଃଖଦ ଘଟଣା ଘଟିଯାଇଥିବା ଜଣାପଡିଛି । ବୁଟୁପାଲି – ବଘିଆପଡା ରାସ୍ତା କାମ କରୁଥିବା ଏ. ଆର. ଏସ. ଏସ. ଠିକା ସଂସ୍ଥାର ଡ୍ରାଇଭରଙ୍କ ବେପରୁଆ ଜେ.ସି.ବି ଚାଳନା ଯୋଗୁଁ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ରାସ୍ତା କାମରେ ନିୟୋଜିତ ଏକ ଚେନ୍ ଚକ ଲଗା ଜେ. ସି. ବି. ସନ୍ଧ୍ୟାରେ କୁଲିମୁଣ୍ଡା ଗ୍ରାମରେ ରଖାଯାଇଥିଲା । ଅଭିଯୋଗ ଅନୁଯାୟୀ ଘଟଣା ଦିନ ସକାଳେ ଜେସି.ବି. ଡ୍ରାଇଭର କାର୍ଯ୍ୟସ୍ଥଳକୁ ଗାଡି ନେଉଥିବା ବେଳେ ରାସ୍ତାକଡରେ ଯାଉଥିବା ଗ୍ରାମର ପିଣ୍ଟୁ ମାଝୀ (୨୧)ଙ୍କୁ ଜୋର୍ରେ ଧକ୍କା ଦେଇଥିଲା । ଫଳରେ ରାସ୍ତାକଡରେ ଥିବା ଗୋଷ୍ଠୀ କେନ୍ଦ୍ର କାନ୍ଥରେ ସେ ଚାପି ହୋଇଯାଇଥିଲେ । ତୁରନ୍ତ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ କହିବା ପରେ ଆମ୍ବୁଲାନସ୍ ଯୋଗେ ବୁର୍ଲାନେବା ବେଳେ ବାଉଁଶୁଣି ନିକଟରେ ମୃତ୍ୟୁ ହୋଇ ଯାଇଥିବା ପରିବାର ଲୋକେ ସନ୍ଦେହ କରିଥିଲେ । ସୋନପୁର ଡାକ୍ତରଖାନାରେ ପରୀକ୍ଷା କରାଇବାରୁ ଡାକ୍ତର ମଧ୍ୟ ତାଙ୍କୁ ମୃତ ଘୋଷଣା କରିଥିଲେ ।ସୋନପୁର ଥାନାକୁ ସୁଚନା ଦେଇ ସେଠାରେ ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ ଗାଆଁରେ ଆଣି ଗତକାଲି ଅପରାହ୍ନରେ ସଂସ୍କାର କରାଯାଇଥିଲା । ଏକ ମାତ୍ର ପୁତ୍ରର ମୃତ୍ୟୁରେ ବାପା ମା ଓ ପରିବାର ଶୋକରେ ଭାଙ୍ଗି ପଡିଛନ୍ତି । ଅପର ପକ୍ଷରେ ଠିକାସଂସ୍ଥାର ଦାୟିତ୍ୱରେ ଥିବା କର୍ମଚାରୀମାନେ ପିଡିତଙ୍କ ପରିବାରକୁ କ୍ଷତିପୂରଣ ଦେବା ପରିବର୍ତ୍ତେ ନିଜ ଦୋଷକୁ ସ୍ୱୀକାର କରୁନାହାନ୍ତି । ଏ ସଂପର୍କରେ ବାମଣ୍ଡା ଓ ବନ୍ଧାପଥର ଗ୍ରାମ ପଞ୍ଚାୟତର ସରପଞ୍ଚ ଦ୍ୱୟଙ୍କ ଉପସ୍ଥିତିରେ ଗ୍ରାମବାସୀ ଏକ ବୈଠକ କରିି ଆଜି ବୌଦ୍ଧ ଥାନାରେ ଅଭିଯୋଗ କରିବାକୁ ମୃତ ପିଣ୍ଟୁର ବାପାଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି ।