ସ୍ୱଧାର ଅନ୍ତେବାସୀଙ୍କ ଟଙ୍କା ହଡପ ଅଭିଯୋଗ, ଥାନାରେ ମାନିଲେ ଅଧିକ୍ଷିକା

0 933

ବୌଦ୍ଧ,୫/୨- ବୌଦ୍ଧ ସହର ଉପକଣ୍ଠ ନାରାୟଣପୁର ଗ୍ରାମ ନିକଟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସ୍ୱାଶ୍ରୋ ପରିଚାଳିତ ସ୍ୱଧାର କେନ୍ଦ୍ରରେ ରହୁଥିବା ଜଣେ ମହିଳାଙ୍କ ଜମାଖାତାରୁ ଏଟିଏମ ମାଧ୍ୟମରେ ୩ ଲକ୍ଷ ଟଙ୍କା ହଡପ ଅଭିଯୋଗ ବୌଦ୍ଧ ଆଦର୍ଶ ଥାନାରେ ପହଞ୍ଚିବା ପରେ ସ୍ୱଧାର କେନ୍ଦ୍ର ଅଧିକ୍ଷିକା ଏବେ ହରଡଘଣାରେ ପଡିଛନ୍ତି । ଅଭିଯୋଗ ପାଇବା ପରେ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ୱିନୀ କହଁର ଅଭିଯୁକ୍ତ ଅଧିକ୍ଷିକାଙ୍କୁ ଥାନାକୁ ଡାକି ନେଇଥିବା ଟଙ୍କା ଫେରସ୍ତ ଦେବାକୁ ଲିଖିତ ରାଜିନାମା ଲେଖାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ ଲୋକାପଡା ଗ୍ରାମର ସୁମିତ୍ରା ମାଝୀ ଗତ ୨୦୧୮ ମସିହାରୁ ସ୍ୱଧାର କେନ୍ଦ୍ରରେ ରହୁଥିଲେ । ସରକାର ତାଙ୍କୁ କ୍ଷତି ପୁରଣ ବାବଦକୁ ଦେଇଥିବା ୩ ଲକ୍ଷ ଟଙ୍କା ବୌଦ୍ଧ କାନାଡା ବ୍ୟାଙ୍କରେ ଥିବା ଜମାଖାତା ନମ୍ବର ୪୧୩୦୧୦୧୦୦୩୦୨୫ ରେ ଗତ ତା ୨୯. ୧୧. ୨୦୧୯ ରେ ଜମା ହୋଇଥିଲା । ସୁମିତ୍ରାଙ୍କ ଜମାଖାତା ଓ ଏ.ଟି.ଏମ. ସ୍ୱଧାର ଅଧିକ୍ଷିକା ନିର୍ମଳା ଜେନା ଓ କାଉନସିଲର ସବିତା ହୋତା ରଖି ୨୦୨୦ ମସିହା ସେପ୍‌ଟେମ୍ବର ୨୫ ତାରିଖ ମଧ୍ୟରେ ସମସ୍ତ ଟଙ୍କା ଉଠାଣ କରି ନେଇଥିବା ଲିଖିତ ଅଭିଯୋଗ ହୋଇଛି । ବ୍ୟାଙ୍କ ବିବରଣୀରୁ ମିଳିଥିବା ସୁଚନା ଅନୁଯାୟୀ ବିଭିନ୍ନ ଏ.ଟି.ଏମ.ରୁ ନଗଦ ଓ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନରୁ ଜିନିଷ କ୍ରୟକରି ପିଡିତାଙ୍କ କ୍ଷତିପୂରଣ ରାଶି ଖର୍ଚ୍ଚ କରାଯାଇଥିବା ଜଣାପଡିଛି । ମିଳିଥିବା ତଥ୍ୟ ଅନୁଯାୟୀ ଅନୁଗୁଳର କ୍ରିଷ୍ଣା ଫିଲିଙ୍ଗ ପେଟ୍ରୋଲ୍‌ ପମ୍ପରୁ ପୀଡିତାଙ୍କ ଏ.ଟି.ଏମ. ବ୍ୟବହାର କରି ତା ୬. ୫. ୨୦୨୦ ରେ ୫୦ ହଜାର ଟଙ୍କା ଲେଖାଏଁ ଗୋଟିଏ ଦିନରେ ଦୁଇ ଥରରେ ମୋଟ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି । ଏ ସଂପର୍କରେ ପୀଡିତାଙ୍କ ପକ୍ଷରୁ ଗତ ୩ ତାରିଖରେ ବୌଦ୍ଧଥାନାରେ ଅଭିଯୋଗ ହେବାପରେ ଟଙ୍କା ଉଠାଣ ନେଇ ଅଧିକ୍ଷିକା ସ୍ୱୀକାର କରିଥିଲେ ଓ ଟଙ୍କା ଫେରସ୍ତ ଦେବାକୁ ଥାନାରେ ଲିଖିତ ରାଜିନାମା କରିଥିବା ଜଣାପଡିଛି । ଅଭିଯୋଗ ହୁଏ ସ୍ୱଧାର କେନ୍ଦ୍ରରେ ଥିବା ଆହୁରି ଅନେକ ଅନ୍ତେବାସୀ ମାନଙ୍କ ଜମାଖାତା ଓ ଏ.ଟି.ଏମ. ରଖି ଅର୍ଥ ହଡପ କରାଯାଇଛି, ଯାହାକି ଉପଯୁକ୍ତ ତଦନ୍ତ କଲେ ଧରା ପଡିବ । ଜିଲା ପ୍ରଶାସନ ଓ ପୋଲିସ୍‌ ଏ ଅଭିଯୋଗ ପାଇବା ପରେ ହାଲକା ଭାବେ ନ ନେଇ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

3 × four =