ବୌଦ୍ଧ,୭/୭ – ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର ବୌଦ୍ଧ ଉପଖଣ୍ଡର ଉପ ଜିଲ୍ଲାପାଳ ଭାବରେ ନିଯୁକ୍ତ ହୋଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ସମ୍ପର୍କୀତ ଏକ ଆଦେଶ ଜାରି ହୋଇଥିବା ଜଣାପଡିଛି । ଶ୍ରୀ ମେହେର ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବ୍ୟାପାର ବିଭାଗର ଉପ ସଚିବ ଭାବେ କାର୍ଯ୍ୟ କରୁଥିଲେ । ଏହା ପୁର୍ବରୁ ବୌଦ୍ଧ ବ୍ଲକର ବି.ଡି.ଓ ଭାବରେ ମଧ୍ୟ ଜିଲ୍ଲାରେ କାର୍ଯ୍ୟ କରିବାର ଅନୁଭୂତି ରହିଛି । ବୌଦ୍ଧରେ ଉପ ଜିଲ୍ଲାପାଳ ଭାବରେ ଥିବା ଏନ. ସି. ଜ୍ୟୋତିରଞ୍ଜନ ନାୟକ ପଦୋନ୍ନତି ପାଇ ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାପରେ କିଛିଦିନ ହେଲା ଉପ ଜିଲ୍ଲାପାଳ ପଦବୀ ଖାଲି ରହିଥିଲା । ସେହିପରି ହରଭଙ୍ଗା ତହସିଲଦାର ଥିବା ବବିତାରାଣୀ ଦଳବେହେରାଙ୍କୁ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ପଦବୀକୁ ବଦଳି କରାଯାଇଛି ।