ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାର ନୂତନ ସଂଗ୍ରହାଳୟ ଉଦଘାଟିତ, ୪୪କୋଟି ଟଙ୍କାର ୧୮ଟି ପ୍ରକଳ୍ପର ଉଦଘାଟନ

0 363

ବୌଦ୍ଧଜିଲ୍ଲାର ୨୭ତମ ପ୍ରତିଷ୍ଠା ଦିବସ

ବୌଦ୍ଧ,୨/୧ – ବୌଦ୍ଧଜିଲ୍ଲାର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ବୌଦ୍ଧଜିଲ୍ଲାର ନୂତନ ସଂଗ୍ରହାଳୟ ଉଦଘାଟନ କରିଛନ୍ତି । ବୌଦ୍ଧଜିଲ୍ଲାର ୧୦୦ ବର୍ଷ ପୁରାତନ କଚେରୀ କୋଠାରେ ଏହି ନୂତନ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ଆଇକୋନିକ ହେରିଟେଜ ବିଲଡିଂରେ ସଂଗ୍ରହାଳୟ ପ୍ରତିଷ୍ଠା ଦ୍ୱାରା ବୌଦ୍ଧଜିଲ୍ଲାର କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଏବଂ ପ୍ରଚାର ପ୍ରସାର ହୋଇପାରିବ । ଜିଲ୍ଲାରେ ପର୍ଯ୍ୟଟନର ବିକାଶରେ ଏହା ସହାୟକ ହେବ ବୋଲି ସେ କହିଥିଲେ ।

hiring

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମୁଦାୟ ୪୪.୬୦ କୋଟି ଟଙ୍କାର ୧୮ଟି ପ୍ରକଳ୍ପ ଉଦଘାଟନ କରିଥିଲେ । ଏଥିରେ ୩ଟି ଦୁଗ୍ଧ ଶୀତଳୀକରଣ ପ୍ରକଳ୍ପ, ବିଭିନ୍ନ ରାସ୍ତା ନିର୍ମାଣ ଓ ପ୍ରଶସ୍ତିକରଣ, ପାର୍କ ଓ ଛକର ବିକାଶ କାମ ଅନ୍ତର୍ଭୁକ୍ତ । ୩ଟି ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟଦ୍ୱାରା ଜିଲ୍ଲାର ୪ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚିବା ଆବଶ୍ୟକ । ବିଶେଷକରି ଗରିବଲୋକ ଓ ମା ମାନଙ୍କ ହକ୍‌ର ସୁରକ୍ଷା ପାଇଁ ସମସ୍ତେ କାମ କରିବାପାଇଁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲାର ବିକାଶ ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରାମ୍ୟବିକାଶ, ଶ୍ରମ ଓ ଇଏସଆର ମନ୍ତ୍ରୀ ସୁଶାନ୍ତ ସିଂହ କହିଥିଲେ ଯେ ବୌଦ୍ଧଜିଲ୍ଲାର ଲୋକ ଉଚ୍ଚ କଳା ଓ ସଂସ୍କୃତି ସଂପନ୍ନ ଏବଂ କଠୋର ପରିଶ୍ରମୀ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଜିଲ୍ଲାରେ ବିକାଶ କାମର ଅଗ୍ରଗତି ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ ଯେ ଜିଲ୍ଲାର ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ଏହି ସଂଗ୍ରହାଳୟ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିବ । ଏହି ଅବସରରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା ପ୍ରମୁଖ ସେମାନଙ୍କର ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମ ଓ ସଂଗ୍ରହାଳୟ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

hiranchal ad1
Leave A Reply

Your email address will not be published.

three + 20 =