ବୌଦ୍ଧ,୪/୬- ଆଜି ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ତରଫରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଜରିଆରେ ପ୍ରଦାନ କରାଯାଇଛି । ଦେଶରେ ଚାଲୁଥିବା କରୋନା ଟିକାକରଣ ପଦ୍ଧତି ରେ ତୁରନ୍ତ ପରିବର୍ତ୍ତନ କରାଯିବା ସହ ଦୈନିକ ଦେଶର ଏକ କୋଟି ଲୋକଙ୍କୁ ମାଗଣାରେ ଟିକାକରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ ପୂର୍ବକ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାଯାଏ । ଦେଶରେ ବର୍ତ୍ତମାନ ଯେଉଁ ହାରରେ ଟିକାକରଣ ଚାଲିଛି ସେହି ନୀତିକୁ ନୀତିକୁ ଦଳ ଘୋର ନିନ୍ଦା କରିବା ସହ ଯଦି ଏଭଳି ଟିକାକରଣ ଚାଲେ ତେବେ ଦେଶର ସମସ୍ତ ଲୋକଙ୍କୁ ଟିକାଦାନ କଲାବେଳକୁ ଦେଶର ଅଧିକାଂଶ ଜନତା ମୃତ୍ୟୁମୁଖରେ ପଡି ଯାଇଥିବେ ବୋଲି କଂଗ୍ରେସ ଆଶଙ୍କା ବ୍ୟକ୍ତ କରିଛି । ଗତ ୩୧/୦୫/୨୦୨୧ ତାରିଖ ସୁଦ୍ଧା ଦେଶରେ ୨୧କୋଟି ୩୧ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଇଥିବା ବେଳେ ମାତ୍ର ୪ କୋଟି ୪୫ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ ଟିକା ପ୍ରଦାନ ହୋଇଛି । ଯଦି ଏହି ଧାରା ବଜାୟ ରହେ ତେବେ ୧୪୦ କୋଟି ଲୋକଙ୍କୁ ଟିକା ପହଞ୍ଚାଇଲା ବେଳକୁ ଦେଶର ଅବସ୍ଥା ଦୋହଲି ସାରିଥିବ । ତେଣୁ ତୁରନ୍ତ ନୀତିରେ ପରିବର୍ତ୍ତନ ଅଣାଯିବା ସହ ଦୈନିକ ଏକକୋଟି ଜନତାଙ୍କ ଟିକାକରଣ ସୁନିଶ୍ଚିତ କରାଯାଉ ବୋଲି ଦାବୀ କରିଛି । ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ଉପ ସଭାପତି ସମରେଶ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ନେତା ତାରେଣୀ ଜେନା, ଅର୍ଜୁନ ମହାନନ୍ଦିଆ, ସାରଙ୍ଗ ଧର ଭୋଇ, ପ୍ରତାପ କୁମାର ପଣ୍ଡା ଓ ପଙ୍କଜ ମେହେର ପ୍ରମୁଖ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଥିଲେ ।