ବୌଦ୍ଧ,୧୩/୪ – ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲର ଅତିରିକ୍ତ ତହସିଲଦାରଙ୍କୁ ଠିକାଦାରଙ୍କ ଦ୍ୱାରା ଦୁର୍ବ୍ୟବହାର ପ୍ରଦର୍ଶନ ପ୍ରସଙ୍ଗରେ ହରଭଙ୍ଗା ଓକିଲ ସଂଘ ଅତିରିକ୍ତ ତହସିଲଦାରଙ୍କ ସପକ୍ଷରେ ମୁହଁ ଖୋଲିଛି । ଅତିରିକ୍ତ ତହସିଲଦାରଙ୍କୁ ଦୁର୍ବ୍ୟବହାର ଘଟଣାର ଓକିଲ ସଂଘ ନିନ୍ଦା କରିବାସହ ଅଭିଯୁକ୍ତ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି କରିଛି । ଅତିରିକ୍ତ ତହସିଲଦାର ହରିଓମ୍ ଭୋଇ ପୁରୁଣାକଟକ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ଦୁଇଜଣ ଠିକାଦାର ଶ୍ରୀନିବାସ ମିଶ୍ର ଓ ପ୍ରଶାନ୍ତ ମହାକୁଡ ତାଙ୍କୁ ଜାତିଆଣ ଆକ୍ଷେପକରି ଧମକ ଦେଇଥିବା ଏତଲାରେ ସେ ଦର୍ଶାଇଛନ୍ତି । ଏ ସଂପର୍କରେ ଅଭିଯୋଗ ହୋଇଥିବା ଠିକାଦାରମାନଙ୍କ ପ୍ରତିକ୍ରିୟା ମିଳିପାରିନଥିବାବେଳେ ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟଶେଳୀକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ପୁରୁଣା କଟକ ଥାନାରେ ୩୮/ତା ୧୨. ୪.୨୧ ରେ ଆଇ.ପି.ସି.ର ଧାରା ୨୯୪, ୪୪୮,୫୦୬,୩୪ ଆଇ.ପି.ସି. ଓ ଏସ.ସି.,ଏସ.ଟି. ଆକ୍ଟର ୩(ଆଇ), (ଏଚ) ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ୍ ମାମଲାର ତଦନ୍ତ କରୁଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ହରଭଙ୍ଗା ବ୍ଲକରେ ପଥରକ୍ୱାରୀ ଓ ବାଲିଘାଟ ସଂପର୍କରେ ନିଆଯାଇଥିବା କେତେକ ବିବାଦୀୟ ନିଷ୍ପତ୍ତି ବିବାଦରେ ରହିଛି ।