ମ୍ୟାଲେରିଆ ନିରାକରଣ ଯୋଜନା , ମଶାରୀରେ ଚାଲିଛି ମାଛଧରା

0 115

ହରଭଙ୍ଗା, ୧୦/୬: ମ୍ୟାଲେରିଆ ନିରାକରଣ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନେକ ପ୍ରକାରର ଉଦ୍ୟମ କରା ଯାଉଛି । ଅନ୍ୟପଟେ ଉପାନ୍ତ ଅଞ୍ଚଳରେ ଅଧିବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇପାରୁନି । ସୁସ୍ଥ ରହିବା ଓ ମଶା ଦାଉରୁ ରକ୍ଷା ପାଇଁ ମଶାରୀ ବ୍ୟବହାର କରିବାକୁ ବାରମ୍ବାର ସଚେତନ କରାଯାଉଥିବାବେଳେ ଏହା ଏକ ପ୍ରକାର ପ୍ରହସନରେ ପରିଣତ ହୋଇଛି । ବିଶେଷ କରି ରାଜ୍ୟ ସରକାର ବୌଦ୍ଧ ଜିଲ୍ଲାରେ ମ୍ୟାଲେରିଆ ନିରାକରଣ ପାଇଁ ଏକ ଲୋକାଭିମୁଖୀ ଯୋଜନା ତିଆରି କରିଥିଲେ । ଦୁର୍ଗମ ହରଭଙ୍ଗା ବ୍ଲକ ଅଂଚଳରେ ମଶାଙ୍କ ପ୍ରାଦୁର୍ଭାବ ଅଧିକ ଥିବାରୁ ଏଠାରେ ବସବାସ କରୁଥିବା ଆଦିବାସୀମାନଙ୍କୁ ଔଷଧୀୟ ମଶାରୀକୁ ବ୍ୟବହାର କରିବାକୁ ଦିଆଯାଇଥିଲା । କିନ୍ତୁ ସଚେତନତା ଅଭାବରୁ ସେମାନେ ଏହି ମଶାରୀକୁ ଟାଣି ଶୋଇବା ବଦଳରେ ନଦୀ,ପୋଖରୀ, ଗଡ଼ିଆ ଓ ନାଳ ଝରଣାରେ ମାଛଧରା କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଏଭଳି ଦୃଶ୍ୟ ହରଭଙ୍ଗା ବ୍ଲକର ମହାଲିକପଡା ପଞ୍ଚାୟତର ଗେରେଡିସାହି ଗ୍ରାମରେ ଦେଖିବାକୁ ମିଳିଛି । ଏନେଇ ହରଭଙ୍ଗା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଅକ୍ଷୟ ସାହୁଙ୍କୁ ପଚାରିବାରୁ, ସଚେତନତା ଅଭାବରୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆଯାଇଥିବା ମଶାରୀ ଅଧିବାସୀମାନେ ଏପରି ଅପବ୍ୟବହାର କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଜରିଆରେ ଗ୍ରାମବାସୀଙ୍କୁ ସଚେତନତା କରାଇବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି । ପ୍ରକାଶ ଥାଉକି ହରଭଙ୍ଗା ଅଞ୍ଚଳରେ ମ୍ୟାଲେରିଆରେ ପ୍ରତିବର୍ଷ ବହୁଲୋକ ମୃତ୍ୟୁବରଣ କରିଥାନ୍ତି । ଆଉ କିଛି ଦୁର୍ଗମ ଅଞ୍ଚଳରେ ସରକାର ଯୋଗାଇ ଦେଇଥିବା ଏହି ମଶାରୀ ପହଞ୍ଚିପାରିନଥିବାରୁ ଜନଅସନ୍ତୋଷ ଦେଖାଦେଇଛି । ତେଣୁ ଲୋକଙ୍କୁ ମଶାରୀ ବ୍ୟବହାର ପାଇଁ ଆଉ ଅଧିକ ସଚେତନ କରିବା ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

5 + 2 =