ବୃଦ୍ଧାବସ୍ଥାରେ ବେସାହାରା : ଅବସର ନେବାର ୧୫ବର୍ଷ ପରେ ମଧ୍ୟ ମିଳିନି ପାଉଣା

0 818

ବୌଦ୍ଧ:ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଜଣେ କର୍ମଚାରୀ ଚାକିରୀରୁ ଅବସର ନେବାର ୧୫ ବର୍ଷ ପରେ ମଧ୍ୟ ଅବସର ସମୟରେ ପାଇବାକୁ ଥିବା ଆର୍ଥିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି । କେଡର ସେକ୍ରେଟାରୀ ଭାବେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କରେ ସତ୍ୟନାରାୟଣ ବେହେରା ତା୧୩/୧୦/୧୯୭୩ ମସିହାରେ ଯୋଗ ଦେଇଥିଲେ । ଅବିଭକ୍ତ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ସମବାୟ ସମିତି ଓ ଲ୍ୟାଂପସ୍ ମାନଙ୍କରେ ୩୨ବର୍ଷ ସଂପାଦକ ଦାୟିତ୍ୱ ତୁଲାଇ ତା ୩୦/୯/୨୦୦୫ ମସିହାରେ ଜୁନିୟର ସୁପରଭାଇଜର ପଦବୀରୁ ଅବସର ନେଇଛନ୍ତି ।
୨୦୧୫ ମସିହାରେ ଅବସର ନେବାପରେ ବୌଦ୍ଧ ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ମାସିକ ପେନସନ ବାବଦରେ ମାତ୍ର ୧ହଜାର ଟଙ୍କା ପ୍ରଦାନ କରୁଅଛନ୍ତି । ବାରମ୍ବାର ଆବେଦନ କଲେ ମଧ୍ୟ ତାଙ୍କର ଗ୍ରାଚୁଇଟି କ୍ୟାସ ସିକ୍ୟୁରିଟି ଓ ଖର୍ଚ୍ଚକରିନଥିବା ଛୁଟିଦିନର ଦରମା ଆଦି ପ୍ରଦାନ କରୁନଥିବା ଜଣାପଡିଛି । ଗତ ୧୫ବର୍ଷ ମଧ୍ୟରେ ବ୍ୟାଙ୍କକୁ ଦଉଡି ଦଉଡି ନୟାନ୍ତ ହେଉଥିଲେ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ଆଳଦେଖାଇ କର୍ତ୍ତୃପକ୍ଷ ହତାଶ କରୁଥିବା ଅଭିଯୋଗ କରିଛନ୍ତି । ସମିତିରେ କାର୍ଯ୍ୟ କରୁଥିବାବେଳେ ଶ୍ରୀ ବେହେରାଙ୍କ ନାମରେ ପ୍ରାୟ ୮ହଜାର ଟଙ୍କାର ରିକୋଭରି ରହିଥିବା କଥା ଅବସର ନେବାର ୧୫ ବର୍ଷ ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ମୌଖିକ ଭାବରେ ଦାବି କରିଥିଲେ । ତାଙ୍କ ଉପରେ ରିକୋଭରି ଥିବାର କୌଣସି ସୂଚନା ଫୁଲବାଣୀ ସମବାୟ ଅଡିଟ ଅଧିକାରୀ କିମ୍ବା ସଂପୃକ୍ତ ସମିତି ସଂପାଦକ ଆଜିଯାଏଁ କୌଣସି ସୂଚନା ଦେଇନଥିଲେ ମଧ୍ୟ ବ୍ୟାଙ୍କର ଦାବି ଅନୁଯାୟୀ ସେ ୮ହଜାର ଟଙ୍କା ପଇଠ କରିଦେଇଥିଲେ ।
ଶ୍ରୀ ବେହେରାଙ୍କ ଆକଳନ ଅନୁଯାୟୀ ସେ ଗ୍ରାଚ୍ୟୁଟି, କ୍ୟାସ ସିକ୍ୟୁରିଟି ଓ ଖର୍ଚ୍ଚ କରିନଥିବା ଛୁଟି ବାବଦକୁ ବ୍ୟାଙ୍କରୁ ପ୍ରାୟ ୬୮ହଜାର ୩୨୦ଟଙ୍କା ପାଇବାର ଅଛି । ବ୍ୟାଙ୍କ ଦାବି କରିଥିବା ରିକୋଭ୍ରି ଦେୟକୁ ସେ ବାନ୍ଧି ସାରିଥିଲେ ମଧ୍ୟ ବ୍ୟାଙ୍କ ତାଙ୍କର ପାଇବାକୁ ଥିବା ଟଙ୍କା ପ୍ରଦାନ ନକରି ଏକ ନୂଆ ଆଳ ଦେଖାଉଥିବା ଶ୍ରୀ ବେହେରା ଅଭିଯୋଗ କରିଛନ୍ତି । ବ୍ୟାଙ୍କ ମୁଖ୍ୟ ନିର୍ବାହୀ ଅଧିକାରୀ ଏହି ବକେୟା ଅର୍ଥ ପଇଠ ପାଇଁ ସମବାୟ ନିବନ୍ଧକଙ୍କୁ କୁଆଡେ ସ୍ପଷ୍ଟିକରଣ ମାଗିଛନ୍ତି ଓ ତାହା ନ ଆସିବା ପର୍ଯ୍ୟନ୍ତ ବକେୟା ଟଙ୍କା ପ୍ରଦାନ କରାଯିବ ନାହିଁ ।
ଶ୍ରୀ ବେହେରାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ଜାଣିଶୁଣି କୌଣସି ଉଦ୍ଦେଶ୍ୟ ରଖି ବ୍ୟାଙ୍କ କର୍ତ୍ତୃପକ୍ଷ ବକେୟା ପ୍ରଦାନ କରୁନାହିଁ । ଲକ୍ଷଲକ୍ଷ ଟଙ୍କାର ଅଡିଟ ରିକୋଭରି ଥାଇ ୨/୩ବର୍ଷ ମଧ୍ୟରେ ଅବସର ନେଇଥିବା କର୍ମଚାରୀଙ୍କୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ସ୍ପଷ୍ଟିକରଣରେ ମୁଖ୍ୟ ନିର୍ବାହୀ ଅଧିକାରୀ ଗ୍ରାଚ୍ୟୁଟି, କ୍ୟାସ ସିକ୍ୟୁରିଟି ଆଦି ପ୍ରଦାନ କରୁଥିବାବେଳେ ତାଙ୍କୁ କାହିଁକି ପ୍ରଦାନ କରାଯାଉନାହିଁ ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି । ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନରେ ବ୍ୟାଙ୍କର ଦ୍ୱେତ ମାନଦଣ୍ଡକୁ ସମବାୟବିତମାନେ ନାପସନ୍ଦ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − thirteen =