ବିିବାହ, ବ୍ରତ ଅନୁମତି ପ୍ରସଙ୍ଗ : ଲୋକଙ୍କୁ ବାଧୁଛି ରେଡକ୍ରସ ପାଇଁ ଆଦାୟ ଚାନ୍ଦା

0 998

ବୌଦ୍ଧ: ସରକାରଙ୍କ କୋଭିଡ-୧୯ ନିୟମ ଅନୁଯାୟୀ କୌଣସି ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ପାଇଁ କଟକଣା ରହିଛି । ଲୋକଙ୍କ ଆବଶ୍ୟକତାକୁ ବିଚାରକରି ୫୦ଜଣ ଲୋକ ମଧ୍ୟରେ ବିବାହ, ବ୍ରତ ଆଦି କରିବା ପାଇଁ ସରକାର ସଂଶୋଧିତ ନିୟମରେ ଟିକିଏ କୋହଳ କରିଛନ୍ତି । ଏଥିପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । କରୋନା ଯୋଗୁଁ ଅଟକି ରହିଥିବା ବିବାହ, ବ୍ରତ ଏବେ ଆରମ୍ଭ ହୋଇଯାଇଛି । ସେଥିପାଇଁ ପ୍ରତିଦିନ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁମତି ମାଗିବା ପାଇଁ ଲୋକଙ୍କର ଲମ୍ବାଧାଡି ଲାଗୁଥିବା ଦେଖିବାକୁ ମିଳେ । ବୌଦ୍ଧଜିଲ୍ଲାର ଖଡଙ୍ଗ ଠାରୁ ସାତକୋଶିଆ ଯାଏଁ ବିବାହ ତାରିଖ ଠିକ୍ କରିଥିବା ପରିବାର ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଖର୍ଚ୍ଚାନ୍ତ ହୋଇ ଦୈନନ୍ଦିନ ଧାଉଁଥିବା ଏକ ସାଧାରଣ ଘଟଣା ହୋଇଛି ।
ବିବାହ, ବ୍ରତ ପାଇଁ ଅନୁମତି ଦେବା ସକାଶେ ଜିଲ୍ଲା ପ୍ରଶାସନ ଏକ ଦର ନିର୍ଦ୍ଧାରଣ କରିଛି । ବରପକ୍ଷଙ୍କ ପାଇଁ ଅନୁମତି ନେବାକୁ ହେଲେ ୨ହଜାର ଟଙ୍କା ଓ କନ୍ୟାପକ୍ଷଙ୍କୁ ୧୫ଶହ ଟଙ୍କା ଦେବାକୁ ପଡୁଛି । ଏହି ଅର୍ଥ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ଯାଉଥିବା କୁହାଯାଉଛି । ରେଡକ୍ରସର ରସିଦ ମଧ୍ୟ ପ୍ରଦାନ କରାଯାଉଥିବା ଜଣାଯାଏ । ଏହି ଟଙ୍କା ରେଡକ୍ରସ ମାଧ୍ୟମରେ ମହତ କାର୍ଯ୍ୟରେ ଖର୍ଚ୍ଚହେବ ମାତ୍ର କରୋନା ସମୟରେ ୩ମାସ ହେଲା ଲୋକେ କାମଧନ୍ଦା ହରାଇ ଅସୁବିଧାରେ ଥିବାବେଳେ ସେମାନଙ୍କ ଠାରୁ ଜୋରଜବରଦସ୍ତ ହଜାର ହଜାର ଟଙ୍କା ଆଦାୟକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଉଛି । କଷ୍ଟେମଷ୍ଟେ କମ୍ ଲୋକରେ ପୁଅ କିମ୍ବା ଝିଅର ବାହାଘରଟିଏ କରାଇବାକୁ ଉଦ୍ଦେଶ୍ୟ ରଖିଥିବା ଲୋକଙ୍କୁ ରେଡକ୍ରସ ପାଇଁ ଚାନ୍ଦା ଆଦାୟ ଘଟଣା ବହୁତ ବାଧୁଥିବା ଅଭିଯୋଗ ହୁଏ । ଅନୁମତି ମାଗିବା ପାଇଁ ଆସୁଥିବା ଲୋକଙ୍କ ମଧ୍ୟରେ ଅନେକ ଗରିବ, ଅସହାୟ ଓ ଅଭାବୀ ଲୋକ ମଧ୍ୟ ଅଛନ୍ତି । ସେମାନେ ସ୍ୱଇଚ୍ଛାରେ ନିଜ ଶକ୍ତି ଅନୁଯାୟୀ ରେଡକ୍ରସକୁ ଦାନକଲେ ଆପତ୍ତି ନାହିଁ ମାତ୍ର ଦର ନିର୍ଦ୍ଧାରଣ କରି ପୁଅ ବାହାଘର ପାଇଁ ୨ହଜାର ଓ ଝିଅ ବାହାଘର ପାଇଁ ୧୫ଶହ ଆଦାୟ କରିବା ଯନ୍ତ୍ରଣାଦାୟକ ଓ ଅଗଣତାନ୍ତ୍ରିକ ବୋଲି ସାଧାରଣ ଲୋକ ଅଭିଯୋଗ କରୁଛନ୍ତି ।
ଜିଲ୍ଲାପାଳ ମହୋଦୟ ଏଭଳି ଉଦ୍ଭଟ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ସାଧାରଣ ଲୋକଙ୍କ ହିତ ଦୃଷ୍ଟିରୁ କୌଣସି ବିକଳ୍ପ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି । ଗୋଟିଏ ଅନୁମତି ପାଇଁ ଅତିକମରେ ଲୋକେ ଦୁଇଥର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଖର୍ଚ୍ଚାନ୍ତ ହେଉଛନ୍ତି ତେଣୁ ଏ ଅନୁମତି ଦେବାର କ୍ଷମତା ତହସିଲଦାରମାନଙ୍କୁ ମଧ୍ୟ ଦିଆଯାଉ ବୋଲି ଜନସାଧାରଣ ଅନୁରୋଧ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

19 + 19 =