ବୌଦ୍ଧ,୨/୭- ଆଜି ବୌଦ୍ଧଜିଲ୍ଲାରେ ପୁଣି ୩ ଜଣଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଗଣମାଧ୍ୟମରେ ସୂଚନା ଦେଇଛି । ଗତକାଲି ସନ୍ଧ୍ୟାରେ ବୌଦ୍ଧଜିଲ୍ଲାରେ ୩ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ଜନସାଧାରଣରେ ଓ ସାମାଜିକ ଗଣମାଧ୍ୟମରେ ଆଲୋଚନା ହୋଇଥିଲା । ମାତ୍ର ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସେ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ଦେଇନଥିଲା । ଆଜି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସ୍ପଷ୍ଟ କଲାପରେ ଲୋକଙ୍କ ମଧ୍ୟରେ ପ୍ରକାଶ ପାଉଥିବା କଳ୍ପନାଜଳ୍ପନା ସତ୍ୟ ବୋଲି ପ୍ରମାଣିତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ କୋଭିଡ ହେଲଥ ସେଣ୍ଟରର କର୍ମଚାରୀ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ କେତେ ଜଣ ଓ କ୍ୱାରେଣ୍ଟାଇନ୍ କେନ୍ଦ୍ରର କେତେ ଜଣ ତାହା ପ୍ରଶାସନ ସ୍ପଷ୍ଟ କରିନାହିଁ । ନୂତନ ୩ କରୋନା ଆକ୍ରାନ୍ତଙ୍କୁ ମିଶାଇ ବୌଦ୍ଧ ଜିଲ୍ଲାରେ ପଜିଟିଭ ସଂଖ୍ୟା ୪୫ରେ ପହଞ୍ଚିଛି । ଗତକାଲି ସନ୍ଧ୍ୟାରେ ରିପୋର୍ଟ ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗ ଆକ୍ରାନ୍ତଙ୍କୁ ଆଣି ବୌଦ୍ଧ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡିଛି ।