ଧାନରୁଆ ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଲେଲ୍ୟାଣ୍ଡ ପିକଅପ୍‌ ଦୁର୍ଘଟଣାଗ୍ରସ୍ତ, ୨୦ ଆହତ ଓ ୪ ଗୁରୁତର

0 205

ବ୍ରହ୍ମପୁର,୨୧/୦୭ : ପାତ୍ରପୁର ବ୍ଳକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତର ଗୋପିନାଥପୁର ଛକ ନିକଟରେ ଆଜି ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି । ଧାନ ରୂଆଳି ମହିଳା ଶ୍ରମିକଙ୍କୁ ନେଇ ନାରାୟଣପୁର ଠାରୁ ତୁମ୍ବା ଅଭିମୁଖେ ଯାଉଥିବା ଏକ ମାଲବାହୀ ଲେଲ୍ୟାଣ୍ଡ୍‌ ପିକ୍‌ଆପ ଗୋପିନାଥପୁର ବୁଲାଣୀରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୨୦ରୁ ଅଧିକ ଶ୍ରମିକ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ଚାରି (୪) ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ମିଳିଥିବା ସୂଚନା ପ୍ରକାରେ ଦୁର୍ଘଟଣା ପରେ ରାସ୍ତାରେ ଛିଟିକି ଯାଇ ସବୁ ମହିଳା ଶ୍ରମିକ ଖଣ୍ଡିଆ ଖାବରା ହୋଇ ରକ୍ତ ଜୁୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ପଡିରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ନିକଟସ୍ଥ ଜରଡା ଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା । ସେଥିମଧ୍ୟରୁ ସାମାନ୍ୟ ଆହତ ଥିବା ୧୦ ଜଣଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ସଙ୍କଟାପନ୍ନ ଥିବା ୪ ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲ ରେଫର କରାଯାଇଥିଲା । ସୂଚନା ପାଇ ସ୍ଥାନୀୟ ତହସିଲଦାର ଶ୍ରୀ ଅମିତ କୁମାର ନାୟକ ପାତ୍ରପୁର ମେଡ଼ିକାଲରେ ପହଞ୍ଚି ଆହତ ମହିଳା ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରିବା ସହିତ ଚିକିତ୍ସା ବ୍ୟବସ୍ଥାର ନିରୀକ୍ଷଣ କରିଥିଲେ । ପ୍ରାଥମିକ ସହାୟତା ପାଇଁ ସଙ୍କଟାପନ୍ନ ଥିବା ଚାରି ଜଣଙ୍କୁ ୨୫୦୦/- ଟଙ୍କାର ରେଡକ୍ରସ ସହାୟତା ପ୍ରଦାନ କରିଥିଲେ । ସ୍ଥାନୀୟ ସମାଜସେବୀ ସଚିନ ପ୍ରଧାନ ଓ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ ଡାକ୍ତରଖାନାରେ ଉପସ୍ଥିତ ରହି ଦୁର୍ଘଟଣାରେ ଆହତ ପୀଡ଼ିତାଙ୍କ ଚିକିତ୍ସା ଜନିତ ବ୍ୟବସ୍ଥାରେ ସହଯୋଗ କରିଥିଲେ । ଅନ୍ୟ ସୂଚନା ପ୍ରକାରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଯୋଜନା ମୁତାବକ ଭାବରେ ମାଲିକଙ୍କ ଦ୍ୱାରା ଘଟଣାସ୍ଥଳରୁ ଉଭାନ କରାଯାଇଥିବା ସୂଚନା ରହିଅଛି । ସ୍ଥାନୀୟ ଜରଡା ଥାନା ପକ୍ଷରୁ ଥାନା ଅଧିକାରୀ ଦୁର୍ଘଟଣାସ୍ଥଳ ଏବଂ ଡାକ୍ତରଖାନାରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିବା ଥାନା ପକ୍ଷରୁ ସୂଚିତ କରାଯାଇଅଛି ।

hiranchal ad1
Leave A Reply

Your email address will not be published.

eleven + three =