ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ : ପ୍ରବାସୀ ଶ୍ରମିକମାନେ ଯେପରି ଖାଦ୍ୟ ନିରାପତ୍ତାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ

0 197

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କୋଭିଡ ୧୯ ସଂକ୍ରାମକ ରୋଗ ନିୟନ୍ତ୍ରଣ ପାଇଁ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନଙ୍କ ସହିତ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।
ଓଡିଶାକୁ ଫେରୁଥିବା ସବୁ ଯୋଗ୍ୟ ଶ୍ରମିକମାନେ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୁଅନ୍ତି, ତା\’ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ । ଏନ୍‌ଏଫଏସ୍‌ଏ/ଏସ୍‌ଏଫ୍‌ଏସ୍‌ଏ ରାସନ କାର୍ଡ ଥାଉ ବା ନ ଥାଉ, ଏହି ଶ୍ରମିକ ଓ ତାଙ୍କ ପରିବାର ଯେପରି ରାସନ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପର୍ଯ୍ୟବେକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ କୋଭିଡ ୧୯ ନିୟନ୍ତ୍ରଣ ଦାୟିତ୍ୱ ହିଁ ହେଉଛି ବରିଷ୍ଠ ଅଧିକାରୀମାନଙ୍କର ମୁଖ୍ୟ ଦାୟିତ୍ୱ । ଏହା ଅତିରିକ୍ତ ଦାୟିତ୍ୱ ନୁହେଁ । ତେଣୁ ଏଥିପ୍ରତି ବିଶେଷ ଯତ୍ନବାନ ହୋଇ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ୮-୧୦ ଦିନର ଦୃଶ୍ୟପଟକୁ ସାମ୍ନାରେ ରଖି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଗ୍ରାମପଞ୍ଚାୟତ ସ୍ତରରେ ଏଥିପାଇଁ ଅଧିକ ସୁବିଧା ସୁଯୋଗର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଓଡିଶା ଫେରିବାକୁ ଥିବା ଶ୍ରମିକମାନଙ୍କ ନିମନ୍ତେ ଗ୍ରାମପଞ୍ଚାୟତସ୍ତରରେ କ୍ୱାରେଣ୍ଟାଇନ ତଥା ଅନ୍ୟାନ୍ୟ ସୁବିଧାକୁ ପ୍ରାଥମିକତା ଦେବା ପାଇଁ ପର୍ଯ୍ୟବେକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏନ୍‌ଆର୍‌ଇଜିଏସକୁ ଲକ୍ଷ୍ୟଭିତ୍ତିକ କରିବା ସହ ଏହା ଜରିଆରେ ବର୍ତ୍ତମାନ ସୃଷ୍ଟି ହେଉଥିବା ୫ଲକ୍ଷ ମାନବ ଦିବସକୁ ଦୁଇଗୁଣ କରି ଆଗାମୀ ସପ୍ତାହ ସୁଦ୍ଧା ଦୈନିକ ୧୦ ଲକ୍ଷ ମାନବ ଦିବସକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜଙ୍ଗଲ ବିଭାଗ ତୁରନ୍ତ ଶ୍ରମଭିତ୍ତିକ କାର୍ଯ୍ୟ ଆରମ୍ଭ କରିବା ସହିତ କେନ୍ଦୁପତ୍ର କର୍ମଚାରୀମାନଙ୍କ ଜୀବନଜୀବିକା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
କୋଭିଡ ୧୯ ନିୟନ୍ତ୍ରଣ କାର୍ଯ୍ୟରେ ମୁତୟନ ହୋଇଥିବା ସମସ୍ତ କର୍ମଚାରୀ ହେଉଛନ୍ତି ଜଣେ ଯୋଦ୍ଧା । ତେଣୁ ଡାକ୍ତରଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀ, ପୁଲିସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ ତଥା ଅନ୍ୟ କର୍ମଚାରୀ ସମସ୍ତଙ୍କ ପାଇଁ ୫୦ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏ ବିଷୟରେ ମଧ୍ୟ ସଂପୃକ୍ତ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।
ଆଗାମୀ ଦିନରେ ରାଜ୍ୟ ବାହାରୁ ଅନେକ ଶ୍ରମିକ ଫେରିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଯେପରି ବହୁ ପରିମାମରେ ନମୂନା ଶୀଘ୍ର ପରୀକ୍ଷା କରାଯାଇପାରିବ, ସେ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେଥିପାଇଁ ଆଇସିଏମ୍‌ଆର୍ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଘରୋଇ ପରୀକ୍ଷାଗାର ବ୍ୟବହାର କରିବା ଏବଂ ନମୂନା ପରୀକ୍ଷାକୁ ୧୫ହଜାରରୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଆଲୋଚନାରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୁଲିସ ମହାନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱରେ ଥିବା କୃଷି ଉତ୍ପାଦନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସହିଚ(୫-ଟି) ଏବଂ ବିଭିନ୍ନ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one × 4 =