ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବିଏସ୍ ୟେଦୁୟୁରପ୍ପା ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କ ସହିତ ଉଭୟ ରାଜ୍ୟରେ ଅଟକି ରହିଥିବା ଓଡିଆମାନଙ୍କ ଫେରିବା ସଂପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ ।
ଲକଡାଉନ ସମୟରେ ଉଭୟ ରାଜ୍ୟ ସରକାର ସେଠାରେ ରହିଥିବା ଓଡିଆମାନଙ୍କର ଉପଯୁକ୍ତ ଯତ୍ନ ନେଇଥିବାରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଓଡିଶା ଆସିବାକୁ ଚାହୁଁଥିବା ଓଡିଆ ଲୋକମାନେ ଯେପରି ସୁବିଧାରେ ଫେରି ଆସି ପାରିବେ ସେଥିରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଆଲୋଚନା ସମୟରେ ଉଭୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ ସେମାନଙ୍କ ରାଜ୍ୟ ସରକାର ଇତି ମଧ୍ୟରେ ଅନେକ କାର୍ଯ୍ୟ ଆରମ୍ଭ କରିଲେଣି । ତେଣୁ ଯେଉଁମାନେ ଚାହିଁବେ ସେମାନେ ସେଠାରେ ରହି ମଧ୍ୟ କାମ କରିପାରିବେ । ଯେଉଁମାନେ ନିଜ ରାଜ୍ୟକୁ ଫେରିବାକୁ ଚାହାନ୍ତି, ସେମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
ଯେଉଁମାନେ ଓଡିଶା ଫେରିବାକୁ ଆଗ୍ରହୀ ସେମାନଙ୍କୁ ଯେପରି ସେଠାରୁ ଓଡିଶା ସରକାରଙ୍କ ଅନଲାଇନ୍ ପୋର୍ଟାଲରେ ରେଜିଷ୍ଟ୍ରେସନ କରିପାରିବେ ସେଥିପାଇଁ ସହଯୋଗ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କର୍ଣ୍ଣାଟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଓଡିଶା ଫେରିବାକୁ ଚାହୁଁଥିବା ଓଡିଆ ଲୋକମାନଙ୍କର ସ୍କ୍ରିନିଂ, ରେଜିଷ୍ଟ୍ରେସନ ଏବଂ ଯାତ୍ରା ସଂପର୍କିତ ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଏକ ବିଧିବଦ୍ଧ ପ୍ରୋଟୋକଲ ପ୍ରସ୍ତୁତି ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍. ବାଲକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post