ପୁରୀ : ପୁରୀ ସହରବାସୀକୁ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ ହୋଇଛି । ଏଣିକି ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍ ଯୋଗେ ଉଚ୍ଚ ମାନର ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ସହରର ସ୍ଥାନ ନେଇଛି ପୁରୀ । ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ ପୁରୀ ନୁହେଁ, ଓଡ଼ିଶା ବିକାଶରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଏବେ ପୁରୀ ସହରର ସମସ୍ତଙ୍କୁ ମିଳିବ ସ୍ୱଚ୍ଛ ପିଇବା ପାଣି । ପୁରୀବାସୀଙ୍କୁ ଘରେ ଏବେ ଫିଲଟର ରଖିବା ଦରକାର ନାହିଁ, ଟ୍ୟାପରୁ ମିଳିବ ସ୍ୱଚ୍ଛ ପାଣି । ସାରା ଦେଶରେ ଏହି ଯୋଜନା ପ୍ରଥମ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଲଣ୍ଡନ, ଲସ୍ ଏଞ୍ଜେଲସ୍ ଓ ସିଙ୍ଗାପୁର ଭଳି ସହରାଞ୍ଚଳରେ ସାମିଲ ହେଲା ପୁରୀ । ଏହି ଯୋଜନା ପରେ ଏବେ ପୁରୀରେ ପର୍ଯ୍ୟଟକ ଆଉ ପାଣି ବୋତଲ ଧରି ବୁଲିବେ ନାହିଁ । ସହରର ପ୍ରତି ସ୍ଥାନରେ ପାଣି ଟ୍ୟାପର ବ୍ୟବସ୍ଥା କରାଯାଇଛି ।
ଏହି ଅବସରରେ ମିଶନ ଶକ୍ତିର ମା’ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମେ ଜୟ ଜଗନ୍ନାଥ କହି ଉଦବୋଧନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତିର ମା’ମାନେ ଜଳସାଥୀ ହୋଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଶ୍ରୀକ୍ଷେତ୍ର ଯୋଜନା ଆଗେଇ ଚାଲିଛି । କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ୫-ଟି ସଚିବ ଭିକେ ପାଣ୍ଡିଆନ । ବିସ୍ତୃତ ବିବରଣୀ ରଖିଥିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ପୁରୀକୁ ବିଶ୍ୱସ୍ତରୀୟ ସହର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ୱପ୍ନକୁ ସାକାର କରିବା ଦିଗରେ ଡ୍ରିଙ୍କ ଫ୍ରମ ଟ୍ୟାପ୍ ମିଶନ ଏକ ଯୁଗାନ୍ତକାରୀ ପ୍ରକଳ୍ପ ।
ଏହି ଯୁଗାନ୍ତକାରୀ ପଦକ୍ଷେପ ଫଳରେ ପୁରୀ ସହରର ଅଢେଇ ଲକ୍ଷ ବାସିନ୍ଦା ୨୪ ଘଣ୍ଟା ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବେ । ଏହି ଯୋଜନାରେ ଆଧ୍ୟାତ୍ମିକ ନଗରୀ ପୁରୀକୁ ଆସୁଥିବା ବାର୍ଷିକ ୨ କୋଟି ପର୍ଯ୍ୟଟକ ମଧ୍ୟ ଉପକୃତ ହେବେ । । ଏପରି ସଫଳତା ହାସଲ କ୍ଷେତ୍ରରେ ପୁରୀ ସାରା ଦେଶରେ ହେଉଛି ପ୍ରଥମ ସହର । ଏହି ଯୋଜନା ପରେ ପୁରୀ ସହରରେ ବାର୍ଷିକ ୪୦୦ ମେଟ୍ରିକ ଟନ୍ର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହ୍ରାସ ହୋଇପାରିବ । ରାଜ୍ୟ ସରକାରଙ୍କ ୫-ଟି ଯୋଜନା ଅଧୀନରେ ଆଗାମୀ ୧୬ଟି ସହରର ୪୦ ଲକ୍ଷ ବାସିନ୍ଦାଙ୍କ ପାଇଁ ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାର କାର୍ଯ୍ୟକାରୀ ହେବାକୁ ଯାଉଛି । ସେହିପରି ଆସନ୍ତା ୨୦୨୪ ମସିହା ସୁଦ୍ଧା ରାଜ୍ୟ ସମସ୍ତ ସହରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଲକ୍ଷ ରହିଥିବା ସୂଚନା ଦିଆଯାଇଛି । ସେହିପରି ପଂଚୟତ ସ୍ତରର ନିର୍ବାଚନ ପାଇଁ ସରକାର ଆଇନ ଅନୁଯାୟୀ ପ୍ରସ୍ତୁତ ହେଉଥିବା ପଂଚୟତ ରାଜ ମନ୍ତ୍ରୀ କହିଛନ୍ତି ।