ଦାରିଙ୍ଗବାଡି ୧୦/୮ : ଦାରିଙ୍ଗବାଡି ବ୍ଲକଟି ପାହାଡ଼ିଆ ଅଞ୍ଚଳ ହୋଇଥିବା ବେଳେ ଅଞ୍ଚଳ ଟି ଉଚ୍ଚ଼ ପାହାଡ ଓ ଘଞ୍ଚ ଜଙ୍ଗଲରେ ଭରା । ଅନ୍ୟ ଅଞ୍ଚଳ ତୁଳନାରେ ଦାରିଙ୍ଗବାଡି ଅଞ୍ଚଳର ବିଭିନ୍ନ ଗ୍ରାମରେ ଚାଷପାଇଁ ଜଳସେଚନ ସୁବିଧା ନଥିବାରୁ ଅଞ୍ଚଳର ଯୁବକ ଯୁବତୀ ମାନେ ଚାକିରୀ ଅର୍ଥାତ ଦାଦନ ପାଇଁ କେରଳ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ଭଳି ଦକ୍ଷିଣ ରାଜ୍ୟକୁ ବହୁ ସଂଖ୍ୟାରେ ଯାଉଛନ୍ତି । ତେବେ କରୋନା ମହାମାରୀ ଯୋଗୁଁ ରାଜ୍ୟରେ ସଟଡାଉନ ଓ ଲକଡାଉନ ଯୋଗୁଁ ରାଜ୍ୟକୁ ଜିଲ୍ଲାର ୧୫ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ମାନେ ଫେରିଆସିଛନ୍ତି । ସେମାନେ ନିଜ ନିଜ ଅଞ୍ଚଳକୁ ଫେରିବା ପରେ ଏକ ଅନିଶ୍ଚିତ ଭବିଷ୍ୟତକୁନେଇ ଚିନ୍ତାରେ ପଡ଼ିଥିଲେ । କିନ୍ତୁ ଦାରିଙ୍ଗବାଡି ବ୍ଳକରେ ଲୋକଙ୍କ ମୌଳିକ ସମସ୍ୟାକୁ ସମାଧାନ କରିବା ଦିଗରେ ସଦାସର୍ବଦା ଅଗ୍ରଣୀ ଭୂମିକା ରଖିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ” କନ୍ଧମାଳ ସବୁଜ ବୈଦ୍ୟ ସଂଗଠନ ଗୁଞ୍ଜ ସହାୟତାରେ ସେମାନଙ୍କୁ ଚାଷ ଜମିକୁ ଜଳସେଚନ କରିବାର ଉପାୟ ବିଷୟରେ ଚିନ୍ତା କରିବାକୁ ଉତ୍ସାହିତ କରିଥିଲେ । ଦାରିଙ୍ଗବାଡ଼ି ବ୍ଲକରେ ଚାଷୀମାନେ ଜଳସେଚନ ସୁବିଧା ନଥିବାରୁ ବ ନିଷ୍କ୍ରିୟ ହୋଇ ବସିଥିବାବେଳେ ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲକଡାଉନ ସମୟରେ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଷ ଜମିକୁ ପାଣି ପାଇଁ ପାହାଡ ଉପରେ ପ୍ରବାହିତ ଜଳ ଉତ୍ସକୁ ଆଣି ଚାଷୀ ମାନଙ୍କ ମୁହଁରେ ହସ ଫୁଟାଇଛନ୍ତି । ସେହିଭଳି ଆଉଏକ ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ର ଦୁର୍ଗମ ଗୁମିକିଆ ପଞ୍ଚାୟତ ର ଗୁଡୁଡ଼ି ଗ୍ରାମରେ । ଗ୍ରାମରେ ଥିବା ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ନଥିବା ବେଳେ ପାହାଡ ଉପରେ ପ୍ରବାହିତ ନଦୀ ଜଳ ସ୍ରୋତକୁ ପାହାଡ କାଟି ପ୍ରାୟ ୬ଶହ ମିଟର ଲମ୍ବା କେନାଲ ଖୋଳି ଶୁଖିଲା ଚାଷ ଜମିକୁ ପାଣି ଆଣିଛନ୍ତି ଗୁଡୁଡି ଗ୍ରାମବାସୀ । ଗୁମିକିଆ ପଞ୍ଚାୟତ ଟି ଦୁର୍ଗମ ହୋଇଥିବା ବେଳେ ଏହି ଅଞ୍ଚଳଟି ମାଓ ପ୍ରଭାବିତ ମଧ୍ୟ ।
ଗ୍ରାମବାସୀମାନଙ୍କ ମତରେ ସେମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବାର ମୁଖ୍ୟ କାରଣ ଅଣମୌସୁମୀ ଦିନରେ ଚାଷ ପାଇଁ ଜଳସେଚନର ଅଭାବ । ମୌସମୀ ପରେ ସେମାନଙ୍କ ଚାଷ ଜମିରେ ପାଣି ନଥିଲା । ଗ୍ରାମ ନିକଟସ୍ଥ ପାହାଡ଼ରେ ଏକ ସ୍ରୋତ ପ୍ରବାହିତ ହେଉଥିଲେ ମଧ୍ୟ କେନାଲ ନଥିବା କାରଣରୁ ସେହି ଜଳ ଗ୍ରାମବାସୀଙ୍କ ପାଇଁ କୌଣସି କାମରେ ଆସୁନଥିଲା । ତେଣୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲୁ ତେବେ କରୋନା ପାଇଁ ନିଜ ନିଜ ଅଞ୍ଚଳକୁ ଫେରିଥିବା ବେଳେ ଲକଡାଉନ୍ ସମୟରେ ଆମେ ବେକାର ବସିଥିଲୁ । ଆମ ସମସ୍ୟା ଜାଣିବା ପରେ ଆମକୁ ପାହାଡ଼ରୁ ପ୍ରବାହିତ ଜଳ ସ୍ରେ।।ତକୁ କେନାଲ କରି ଆଣିବା ପାଇଁ ଉପାୟ ସମ୍ପର୍କରେ କହିବା ସହିତ କାମ ବଦଳରେ ଖାଦ୍ୟ ସାମଗ୍ରୀ ଦେବାକୁ ପ୍ରସ୍ତାବ ଦେଇ ପାହାଡ ଉପରେ ପ୍ରବାହିତ ବଣ୍ଡାକୁପୁଡା ନଦୀରୁ ୬ଶହ ମିଟର ଲମ୍ବା କେନାଲ ଖୋଳିବାକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂଗଠନ ସବୁଜବୈଦ୍ୟ ପ୍ରସ୍ତାବ ଦେଇଥିଲା । ସେହି ସଙ୍ଗଠନର କହିବା ମୁତବକ ଗ୍ରାମବାସୀ ମାନେ କେନାଲ ଖୋଳିଥିବା କହିଛନ୍ତି । ଗୁଡୁଡି ଗ୍ରାମ ସମେତ ପାଙ୍ଗାମାହା,ବଣ୍ଡ୍ରାମାହା ,ଡାଲାପାଟା ଅନଙ୍ଗୀମିନୁ ଅଞ୍ଚଳର ୩ ଶହ ଲୋକ ବସବାସ କରୁଥିବା ଗ୍ରାମବାସୀ ମାନେ ବଣ୍ଡାକୁପୁଡା ନଦୀର ସ୍ରୋତରୁ ପ୍ରାୟ ଚାରି ଫୁଟ ଗଭୀରତା ବିଶିଷ୍ଟ ୬ଶହ ମିଟର ଲମ୍ବ କେନାଲକୁ ଖୋଳିବାକୁ ପ୍ରାୟ ୫ଦିନ ସମୟ ଲାଗିଥିଲା । ବର୍ତ୍ତମାନ ଗ୍ରାମବାସୀ ବ୍ୟକ୍ତିଗତ କ୍ଷେତକୁ ପାଣି ଆଣିବା ପାଇଁ ଛୋଟ କେନାଲ ନିର୍ମାଣ କରୁଛନ୍ତି । ଏହିଭଳି ଭାବେ ଏହି ଅନୁଷ୍ଠାନ ସହାୟତାରେ ଗୁହିବାଡି,କଙ୍ଗଡାକା ଗ୍ରାମରେ ମଧ୍ୟ ପ୍ରାୟ ଏକ କିଲୋମିଟର ଲମ୍ବା କେନାଲ ଖୋଳିଛନ୍ତି । ଗୁଡୁଡି ଗ୍ରାମରେ କେନାଲ ଖୋଳିବାରେ ଗ୍ରାମର ସମନା ପ୍ରଧାନ,ଆଜୁ ପ୍ରଧାନ, ବାନାମ୍ବର ପ୍ରଧାନ,ଅଜିତ ପ୍ରଧାନ ,ଅମନ୍ତି ପ୍ରଧାନ,ରେଶମା ପ୍ରଧାନ,ରଚନା ପ୍ରଧାନ, ନାମନ୍ତି ପ୍ରଧାନ ଓ ପୂଜା ପ୍ରଧାନ ସମେତ ଗ୍ରାମର ଶତାଧିକ ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ ।