ସେଚକୂଅ ଖୋଲିବାର ବର୍ଷେ ବିତିଲା,ବିଲ୍‌ ନପାଇ ଚାଷୀ ହତାଶ

0 195

ଦାରିଙ୍ଗବାଡି,୧୦/୪: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଲୋକଙ୍କୁ ଚାଷ କରିବା ପାଇଁ ସରକାର ମନରେଗା ଯୋଜନାରେ ଚାଷୀମାନଙ୍କୁ ବ୍ୟକ୍ତିଗତ ଭାବେ ଚାଷ କାର୍ଯ୍ୟପାଇଁ ସେଚ କୂପ ପ୍ରଦାନ କରିଥିଲେ । ହେଲେ ଚାଷୀମାନେ କୂପ ଖୋଳି ଏକ ବର୍ଷରୁ ଉଦ୍ଧ୍ୱର୍ ଦିନ ବିତିଯାଇଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ସଂପୂର୍ଣ୍ଣ ବିଲ୍‌ ପାଇନଥିବା ଅଭିଯୋଗ ହୋଇଛି । ବିଲ୍‌ ପାଇଁ ହିତାଧିକାରୀମାନେ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବାବେଳେ ବିଭାଗୀୟ ଅଧିକାରୀମାନେ ଆଜିକାଲି କହି କହି ଭୁଆଁ ବୁଲାଉଥିବା ବେଳେ ସେମାନେ ନିର୍ମାଣ କରିଥିବା କୂଅର ବିଲ୍‌ ସମ୍ପୂର୍ଣ୍ଣ ଭାବେ ପାଇପାରିନାହାନ୍ତି । ଏଭଳି ଅଭିଯୋଗ ଆସିଛି ସିମନବାଡି ପଞ୍ଚାୟତର ଜୁଡାବାଡି ଗ୍ରାମ ଓ କାରୀପାଙ୍ଗା ଗ୍ରାମରୁ । ଜୁଡ଼ାବାଡି ଗ୍ରାମର ବାଲ୍ମୀକି ମାଝୀ ଓ କାରୀପାଙ୍ଗା ଗ୍ରାମର ଅମରେନ୍ଦ୍ର ପ୍ରଧାନ ୨୦୧୯ ମସିହା ମାର୍ଚ୍ଚ ବେଳକୁ କୂପ ଖୋଳା ଆରମ୍ଭକରି ମେ ମାସ ମଧ୍ୟରେ କୂପ କାମ ସମ୍ପୂର୍ଣ୍ଣ କରିଥିଲେ । ଅମରେନ୍ଦ୍ର ପ୍ରଧାନଙ୍କ କୁଅ କାମର ଅଟକଳ ମୂଲ୍ୟ ୧ ଲକ୍ଷ ୬୦ ହଜାର ଟଙ୍କା ରହିଥିବା ବେଳେ ୧ ଲକ୍ଷ ୨୪ ହଜାର ଟଙ୍କା ବିଲ ହୋଇଛି । ଆଉ ବଳକା ୩୬ ହଜାର ଟଙ୍କାର ବିଲ ଏପର୍ଯ୍ୟନ୍ତ ପାଇନଥିବା ଅଭିଯୋଗ କରିଛନ୍ତି ଅମରେନ୍ଦ୍ର । ସେହିପରି ବାଲ୍ମୀକି ମାଝୀଙ୍କ କୁଅଁ କାମର ଅଟକଳ ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ରହିଥିବାବେଳେ ବାଲ୍ମୀକି ମାଝୀ ଶ୍ରମିକ ବାବଦକୁ ୬୮ ହଜାର ଟଙ୍କା ପାଇଛନ୍ତି । ଆଉ ବଳକା ୬୩ ହଜାର ଟଙ୍କା ପାଇବେ ବୋଲି ଅଭିଯୋଗ କରିଛନ୍ତି । ଅମରେନ୍ଦ୍ର ପ୍ରଧାନ ଓ ବାଲ୍ମୀକି ମାଝୀ ସମ୍ପୂର୍ଣ୍ଣ କୂପ ବିଲ ପାଇବା ପାଇଁ ସିମନବାଡି ପଂଚାୟତ କାର୍ଯ୍ୟଳୟ ଓ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟଳୟକୁ ଏକାଧିକ ଥର ଦୌଡିି ଖର୍ଚ୍ଚାନ୍ତ ହୋଇଥିଲେ ସୁଦ୍ଧା ବିଲ କରିବା ଦିଗରେ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେଉନଥିବା ବେଳେ ବିଭିନ୍ନ ସମୟରେ ବାହାନା ଦେଖାଉଥିବା ବାଲ୍ମୀକି ଓ ଅମରେନ୍ଦ୍ର ଅଭିଯୋଗ କରିଛନ୍ତି । ଏଣୁ ଅମରେନ୍ଦ୍ର ପ୍ରଧାନ ଓ ବାଲ୍ମୀକି ମାଝୀଙ୍କର କୂଅର ବିଲ ଶୀଘ୍ର କରିବାକୁ ଦୁହେଁ ଦାବି କରିବା ସହ ଅଂଚଳବାସୀ ମଧ୍ୟ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × five =