ଦାରିଙ୍ଗବାଡି ବ୍ଲକରେ ଆବାସ ଯୋଜନା ବାଟବଣା

0 185

ଦାରିଙ୍ଗବାଡି,୧୦/୮ : କେନ୍ଦ୍ର ଓ ରାଜ୍ୟ ସରକାର ବିକଳାଙ୍ଗ, ଅସହାୟ ଓ ବାସହୀନ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଭଳି ଯୋଜନା ପ୍ରଣୟନ କରିଛନ୍ତି । ଏଥିପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ଦାରିଙ୍ଗବାଡି ବ୍ଲକରେ ଅନେକ ଯୋଗ୍ୟ ହିତାଧିକାରୀ ମାନେ ଯୋଜନାରୁ ବାଦ ପଡ଼ୁଥିବା ବେଳେ ଥିଲାବାଲା ଅଯୋଗ୍ୟ ଲୋକମାନେ ଯୋଜନାରୁ ଲାଭ ଉଠାଉଛନ୍ତି । ଆଉ କିଛି ସ୍ଥାନରେ ହିତାଧିକାରୀ ଜଣକ ଗ୍ରାମରେ ନରହି ଜିଲ୍ଲା ବାହାରେ ରହୁଥିବା ସତ୍ତେ୍ୱ ତାଙ୍କୁ ଯୋଜନାରେ ସାମିଲ କରାଯାଇ ଘର ଦିଆଯାଇଥିବା ଜଣାପଡିଛି । ଏପରିକି ବ୍ଲକର କିଛି ଅଞ୍ଚଳରେ ଲୋକେମାନେ ଭଙ୍ଗା କୁଡିଆରେ ଜୀବନ କାଟୁଥିବା ବେଳେ କିଛି ଅଯୋଗ୍ୟ ହିତାଧିକାରୀ ଘର ହାତେଇ ମଧ୍ୟ ନେଇଛନ୍ତି । ତେବେ ଘର ହାତେଇବା ପରେ ମଧ୍ୟ ସେହି ଘରେ ସେମାନେ ଘରେ ରହିବା ବଦଳରେ ସେହି ଘର ଗୁଡିକୁ ମାସିକ ଭଡାରେ ଅନ୍ୟ ଲୋକଙ୍କୁ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି । ଭଡାରେ ଲାଗିଥିବା ଘରେ କେଉଁଠି ଲୋକେ ରହୁଛନ୍ତି ତ ଆଉ କେଉଁ ଆବାସ ଘରେ ବ୍ୟବସାୟ ବିଭିନ୍ନ ସାମଗ୍ରୀ ରଖି ବ୍ୟବସାୟ କରାଯାଉଛି । କିନ୍ତୁ ଅସହାୟ ଯୋଗ୍ୟ ବ୍ୟକ୍ତିଟିଏ ଘର ଖଣ୍ଡିଏ ନପାଇ ସରକାରୀ ଅଫିସ କୁ ଧାଇଁ ଧାଇଁ ନୟାନ୍ତ ହେଲେ ମଧ୍ୟ ଘରଟିଏ ତାଙ୍କୁ ମିଳିପାରିନାହିଁ । ଏହିଭଳି ଦୃଶ୍ୟ ଦାରିଙ୍ଗବାଡି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ ଅନ୍ତର୍ଗତ କେରୁବାଡି ୱାର୍ଡରେ ଦେଖିବାକୁ ମିଳିଛି । ଅନେକ ବର୍ଷ ହେବ ଗ୍ରାମର ଅନାମ ଚନ୍ଦ୍ର ନାୟକ(୭୦) ଏକୁଟିଆ ଭାବେ ଏକ ଭଙ୍ଗା ଦଦରା ଝାଟିମାଟି ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡିରହିଛନ୍ତି । ଭଲରେ କଥା ମଧ୍ୟ କରିପାରୁନାହାନ୍ତି , ଅନ୍ୟପଟେ ତାଙ୍କର ନିଜର ବୋଲି କେହିନାହାନ୍ତି । ମୂଲଲାଗି ପେଟ ପୋଷୁଥିବା ଅନାମଚନ୍ଦ୍ର ଘରଖଣ୍ଡିଏ କରିବାକୁ ଅସମର୍ଥ ଥିବାରୁ ଅନେକ ଥର ସ୍ଥାନୀୟ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ ଗୁହାରି କରି ଆସୁଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । ସେହିପରି କିରିକୁଟି ପଚୟତ କୃଷ୍ଣ ଚନ୍ଦ୍ର ବେହେରା ଓ ତାଙ୍କ ମା ଭଙ୍ଗା କୁଡିଆରେ ରହୁଛନ୍ତି । ଏହିଭଳି ଭାବେ ବ୍ଲକ ର ବିଭିନ୍ନ ପଞ୍ଚାୟତରେ ଅନେକ ଯୋଗ୍ୟ ହିତାଧିକାରୀମାନେ ଯୋଜନା ରୁ ବଞ୍ଚିତ ହୋଇଥିବା ବେଳେ କିନ୍ତୁ ଅଯୋଗ୍ୟ ଲୋକେ ସେସବୁକୁ ହାତେଇ ନେଉଛନ୍ତି । ତେବେ ସରକାରଙ୍କ ଆବାସ ଯୋଜନା ଯଦି ଏଭଳି ହିତାଧିକାରୀଙ୍କ ପାଇଁ ନୁହେଁ ତେବେ କାହାପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ସମ୍ପୃକ୍ତ ପଞ୍ଚାଯତର ସରପଞ୍ଚ ମାନଙ୍କ ସହିତ ଯୋଗାଯୋଗ କରିବାରୁ ଯୋଜନାରୁ ବାଦ ପଡିଥିବା ଲୋକମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ସମସ୍ତ ସୁବିଧା କରାଯିବ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଏହିଭଳି ଅସହାୟ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

two × one =