ଆବାସ ଗୃହ ଦୁର୍ନୀତି ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲା ଦାରିଙ୍ଗବାଡି ବିଜେପି

0 115

ଦାରିଙ୍ଗବାଡି,୯/୭: ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ବିଜେପି ତରଫରୁ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହାସହ ଗରିବ ତଥା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇବା ପାଇଁ ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ବିଜେପି ବ୍ଲକ ସଭାପତି ସନ୍ତୋଷ କୁମାର ସାହୁ ପ୍ରଧାନମନ୍ତ୍ରୀ ଆବାସ ଘର ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଛି । ଗରିବ ତଥା ବାସହୀନ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଦେଉଥିବା ଆବାସକୁ ହରିଲୁଟ କରାଯାଉଛି, ଜମିବାଡି, କୋଠା ଥିବା ଲୋକେ ଠକେଇ କରି ଘର ହାତେଇଥିବାରୁ ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଂଚିତ ହୋଇଛନ୍ତି । ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରିବା ସହିତ ରାଜ୍ୟକୁ ଘର ଯୋଗାଇଦେଇଛନ୍ତି । ହେଲେ ରାଜ୍ୟ ସରକାରଙ୍କ ଅପାରଗତା ତଥା ପକ୍ଷପାତିତା ଯୋଗୁ ଜିଲ୍ଲାର ଅନେକ ଗରିବ ଲୋକଙ୍କୁ ଘର ମିଳିନାହିଁ । ତେଣୁ ପ୍ରଧାନମନ୍ତ୍ରୀ ଆବାସରେ ଘୋଟାଲା କରିଥିବା ଲୋକ, ନେତା ତଥା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ସାହୁ ନିଜ ବକ୍ତବ୍ୟରେ କହିଛନ୍ତି । ଆବାସ ଯୋଜନା କାର୍ଯ୍ୟକାରୀତାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଦାରିଙ୍ଗବାଡି ବ୍ଲକ ବିଜେପି ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଦଳର ଶତାଧିକ କର୍ମକର୍ତାମାନେ ଆଜି ସ୍ଥାନୀୟ ଶିବ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଳୋଗାନ ଦେଇଥିଲେ । ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦାରିଙ୍ଗବାଡି ବିଡିଓ ଅଭିମନ୍ୟୁ ବେହେରାଙ୍କୁ ପ୍ରଦାନ କରାଯାଇଛି । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ଓ ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ହରେନ କୁମାର ସାହୁ, ଦାରିଙ୍ଗବାଡ଼ି ବ୍ଲକ ସମ୍ପାଦକ ମିଟୁ ସାହୁ , ଜିଲ୍ଲା ସମ୍ପାଦକ ମହେଶ୍ୱର ସାହୁ , ଭିଉତ୍ତମ ସଭାସୁନ୍ଦର ,ମୀନକେତନ ସାହୁ, ମହିଳା ମୋର୍ଚ୍ଚା ସଭାପତି ସୋନାଲି ପ୍ରଧାନ, ମଣ୍ଡଳ ସମ୍ପାଦିକା ଟୁନି ମୁଖୀଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

10 + 11 =