କର୍କଟ ରୋଗରେ ପୀଡ଼ିତା ଅସହାୟା ବୃଦ୍ଧାଙ୍କୁ ସହାୟତା ଦାବି

0 184

ଦଶପଲ୍ଲା,୫/୫- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଡିମିରୀପଲ୍ଲି ମୌଜାର ଜଣେ ଅସହାୟା ବିଧବା ବୃଦ୍ଧା ବାଉରୀ ମଲ୍ଲିକ, ଦୀର୍ଘ ଏକ ବର୍ଷ ଧରି ମୁଖକର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସହ୍ୟ ଦୁଃଖ ଯନ୍ତ୍ରଣା ମଧ୍ୟରେ ଜୀବନ ଅତିବାହିତ କରିଆସୁଛନ୍ତି । ଏହି କର୍କଟ ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରି ଚିକିତ୍ସିତ ହେବା ପାଇଁ ଅସମର୍ଥ ଥିବାରୁ ଜୀବନ ମୃତ୍ୟୁର ସଂଘର୍ଷ ମଧ୍ୟରେ ଭାଗ୍ୟକୁ ଆଦରି ପଡିରହିଛନ୍ତି । ସୂଚନା ଅନୁଯାୟୀ ଆଦିବାସୀ ବହୁଳ ଡିମିରୀପଲ୍ଲି ମୌଜାର ବାସିନ୍ଦା ବାଉରୀ ମଲ୍ଲିକ ଜଣେ ଦିନମଜୁରିଆ, ମୁଲମଜୁରୀ କରିବା ସହିତ ମିଳୁଥିବା ବିଧବାଭତ୍ତା ଟଙ୍କା ଓ ଚାଉଳରେ ଦୁଃଖ, କଷ୍ଟ ଓ ଯନ୍ତ୍ରଣା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି । ସ୍ୱାମୀ ଦୁର୍ଯ୍ୟୋଧନ ମଲ୍ଲିକ ଦୀର୍ଘ ୧୫ ବର୍ଷ ହେଲା ଆରପାରିରେ । ତାଙ୍କର କେବଳ ଅଛନ୍ତି ୨ଝିଅ, ବଡ଼ ଝିଅ କାମ୍ପଲ୍ଲା ଗ୍ରାମରେ ରହୁଥିବା ବେଳେ ସାନ ଝିଅ ରହୁଛନ୍ତି ଦଶପଲ୍ଲାରେ । ଦୁଃଖ କଷ୍ଟ ମଧ୍ୟରେ ଚଳୁଥିବା ଏହି ବୃଦ୍ଧାଙ୍କୁ ବଡ଼ଝିଅ କେବଳ ତାଙ୍କର ଦୁଃଖ, ସୁଖରେ ସାହା ହେଉଥିବା କଥା କହିଛନ୍ତି । ବାଉରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମେ ତାଙ୍କ ମୁହଁରେ ଏକ ଘା ହୋଇଥିଲା । ସେଥିପ୍ରତି ଗୁରୁତ୍ୱ ନଦେବାରୁ ସମୟକ୍ରମେ ତାହା କିଛିଦିନ ପରେ କର୍କଟ ରୋଗରେ ପରିଣତ ହୋଇଥିଲା । ନୟାଗଡ଼ ଜିଲ୍ଲା ଡାକ୍ତରଖାନା ଓ ଓଡ଼ଗାଁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ସେ ଜଣେ ଅସହାୟ, ଗରିବ, ବିଧବା ମହିଳା, ନା ତାଙ୍କ ପାଖରେ ଚିକିତ୍ସା ହେବା ପାଇଁ ଅର୍ଥ ଅଛି ନା ପାରିବାରିକ ସହାୟତା । କେବଳ ଚେରମୂଳି ଔଷଧ ପାଇଁ ବହୁତ କଷ୍ଟ କରି ଅର୍ଥ ଯୋଗାଡ଼ କରିବାକୁ ପଡୁଛି । ଭାଗ୍ୟକୁ ଆଦରି ଭଗବାନଙ୍କ ଭରସାରେ ସେ ବଞ୍ଚିିରହିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଏହି ବିଧବାଙ୍କ ପାଇଁ କେବଳ ମରୀଚିକା । ସ୍ୱାସ୍ଥ୍ୟକେନ୍ଦ୍ରରେ କର୍କଟ ରୋଗର ପରାମର୍ଶ ଏବଂ ଚିକିତ୍ସା ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ଏହା ସହିତ ୧୨ଟି ସ୍ୱାସ୍ଥ୍ୟସେବା ଜନସାଧାରଣଙ୍କୁ ମାଗଣାରେ ଯୋଗାଇ ଦେଉଥିବା ପାଇଁ ପ୍ରଚାର କରୁଛନ୍ତି । ଏଥିପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ପାଳନ ହେଉଛି ଅନେକ କର୍ମଶାଳା, ହେଲେ ବାଉରୀଙ୍କ ପାଇଁ ଏ କର୍ମଶାଳା କେବଳ ପ୍ରହସନ ! ମାଗଣା ସ୍ୱାସ୍ଥ୍ୟସେବା କଥା କହୁଥିବା ଓ ଏଥିନେଇ ସଚେତନ ବାର୍ତ୍ତା ବାଣ୍ଟୁଥିବା ସ୍ୱାସ୍ଥ୍ୟ ବିଭାଗ ପ୍ରକୃତରେ ସାଧାରଣ ଅସହାୟ ଗରିବ ଲୋକମାନଙ୍କ ପାଇଁ କେତେ ଦରଦ, ତାହାର ଜ୍ୱଳନ୍ତ ଉଦାହରଣ ବାଉରୀ ମଲ୍ଲିକ । ସତରେ ଏମାନଙ୍କ ପାଇଁ ବାଟବଣା ଅନେକ ଯୋଜନା । ଅସହାୟା ବୃଦ୍ଧା ‘ବାଉରୀ’ଙ୍କ ଚିକିତ୍ସାପାଇଁ ସ୍ଥାନୀୟ ଲୋକପ୍ରତିନିଧି, ପ୍ରଶାସନ ଓ ସହୃଦୟ ବ୍ୟକ୍ତିମାନେ ସହାୟତାର ହାତ ବଢାଇଲେ ସେ ଏହି ଯନ୍ତ୍ରଣାରୁ ମୁକ୍ତ ହୋଇପାରିବେ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

seventeen − two =