ବାଟ ହୁଡିଛି ମନରେଗା, ଉଦ୍ୟାନ କୃଷି ବିଭାଗରେ ହରିଲୁଟ

0 311

ଦଶପଲ୍ଲା, ୧୨/୮- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକରେ ଉଦ୍ୟାନ କୃଷି ବିଭାଗରେ ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି । କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁବିଧ ଜନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ବିପୁଳ ଅର୍ଥ ବ୍ୟୟ କରି ଚାଲିଥିଲାବେଳେ, ତୃଣମୂଳ ସ୍ତରରେ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ବହୁ ହିତାଧିକାରୀ ସୁବିଧା ନପାଇ, କୃଷକଙ୍କ ଅର୍ଥ ହରିଲୁଟ ହେଉଥିବା ଅଭିଯୋଗ କରିଛନ୍ତି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ୨୦୨୧ ମସିହା ଜୁଲାଇ ୨୨ ତାରିଖ ପତ୍ର ସଂଖ୍ୟା ୧୭୧ ମୁତାବକ ବିଦ୍ୟାଧର ପଣ୍ଡାଙ୍କୁ ମିଳିଥିବା ତଥ୍ୟରୁ ଏହା ସ୍ପଷ୍ଟ ବାରି ହେଉଛି । ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ତେଣ୍ଡାବାଡି ପଞ୍ଚାୟତର ମଶାବାଡି ଗ୍ରାମରେ ଜୈନିକ ତେଲ ଚାଷୀ ଉଦୟନାଥ ପ୍ରଧାନ ଦେଢ଼ ଏକର ଜମିରେ ୮୬ ଗୋଟି ଚାରା ରୋପଣ କରିଥିଲେ । ଏଥିପାଇଁ ସରକାରୀ ଆକଳନ ଅନୁସାରେ ୩୨୧ଟି ଶ୍ରମ ଦିବସ ଧାର୍ଯ୍ୟ ହୋଇଥିଲା । ୨୦୨୦-୨୧ ଆର୍ଥୀକ ବର୍ଷରେ ୧୮୦ ଦିନ ଶ୍ରମ ଦିବସ ନିୟୋଜିତ ହୋଇଥିବା ଜଣାଯାଇଛି । ମନରେଗା ୱେବ ସାଇଟ ଅନୁସାରେ, ଉଦ୍ୟାନ ବିଭାଗ ଅଧିଦର୍ଶକ ବଜେନ୍ଦ୍ର ସ୍ୱାଇଁଙ୍କ ତତ୍ୱାବଧାନରେ ୧୫୬ଟି ଶ୍ରମ ଦିବସର ଦୈନିକ ମଜୁରୀ ପୈଠ ହୋଇଛି । ବାସ୍ତବରେ ଉକ୍ତ ଜମିରେ କୈାଣସି ବୃକ୍ଷ ରୋପଣ କରାଯାଇନଥିବା ଦେଖାଯାଇଛି । ମନରେଗା ଯୋଜନାରେ ଉକ୍ତ ଜମିରେ ପାମ ଅଏଲ ବୃକ୍ଷରୋପଣ କରାଯାଇଥିବା ଦର୍ଶା ଯାଇଥିବା ବେଳେ ଜମି ପଡିଆ ପଡିଥିବା ଦେଖାଯାଇଛି । ଏନେଇ ଉଦ୍ୟାନ ସାଥି ଏବଂ ଉଦ୍ୟାନ ଅଧିକାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଗ୍ରାମବାସୀ ଜିଲ୍ଲା ଉଦ୍ୟାନ କୃଷି ମହାନିର୍ଦ୍ଦେଶକଙ୍କୁ ଅଭିଯୋଗ କରିଛନ୍ତି । ତେବେ ଉପରୋକ୍ତ ତଥ୍ୟପ୍ରମାଣ , ଚାଷୀଙ୍କ ଅଭିଯୋଗ ଓ କ୍ଷେତ୍ର ପରିଦର୍ଶନ ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ , ଉଦ୍ୟାନ କୃଷି ବିଭାଗର କେତେକ ତଳିଆ କର୍ମଚାରୀ ,ଏପରି ମିଥ୍ୟା କାଗଜପତ୍ର ଓ ଜାଲିଆତି କରି ସରକାରୀ ଅର୍ଥର ଆତ୍ମସାତ କରିଛନ୍ତି । ଏହାର ବିଧିବଦ୍ଧ ତଦନ୍ତକରି ସତ୍ୟର ଉନ୍ମୋଚନ କରିବାକୁ ସ୍ଥାନୀୟ ଚାଷୀମାନେ ଦୃଢ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 2 =