ପାରଳାଖେମୁଣ୍ଡି,୪/୧୧- ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସପ୍ତାହ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳନ କରାଯାଇଛି । ଏହି ବୈଠକରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ସଭାପତିତ୍ୱ କରିଥିବାବେଳେ ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ ମଞ୍ଚାସିନ ଥିଲେ । ଜିଲ୍ଲାପାଳ ଦୁର୍ନୀତି ନିବାରଣ ଉପରେ ଗୁରୁତ୍ୱ ଦେଇ ପ୍ରତ୍ୟେକ କାର୍ଯ୍ୟକ୍ରମରେ ସାଧୁତା ଏବଂ ସ୍ୱଚ୍ଛତା ବଜାୟ ରଖି ନିଷ୍ଠାପର ଭାବରେ ଅବିରତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବାସନ୍ତୀ ଦେଇ, ସହକାରୀ ଜିଲ୍ଲାପାଳ ଜୟଦ ରଥ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ନିର୍ବାହୀ ଯନ୍ତ୍ରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜ୍ୟୋତିରଞ୍ଜନ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲାପାଳ ନିଜେ ଦୁର୍ନୀତି ନକରିବା ସହ ଅନ୍ୟକୁ ଦୁର୍ନୀତିରୁ ଦୁରେଇ ରଖିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ।