ଜୀବନ ଯୁଦ୍ଧରେ ହାରିନାହାନ୍ତି ଅସହାୟ ବୃଦ୍ଧା, ଜଙ୍ଗଲଜାତ ଦ୍ରବ୍ୟ ବିକି ପେଟ ପୋଷଛନ୍ତି

0 124

ହରଭଙ୍ଗା: ପେଟ ଚାଖଣ୍ଡକ ପାଇଁ କିଏ କ’ଣ କରୁଛନ୍ତି ତାହା ବର୍ଣ୍ଣନା କରିବା ଅସମ୍ଭବ । ଏମିତି ଜଣେ ବୃଦ୍ଧା ଅଛନ୍ତି ଯିଏକି ବୌଦ୍ଧ ଜିଲ୍ଲାର ହରଭଙ୍ଗା ପଞ୍ଚାୟତର ସୁରୁଣ୍ଡୀ ଗ୍ରାମର ସ୍ୱର୍ଗତ କୁମର ନାଏକଙ୍କ ପତ୍ନୀ ଜାନଭୀ ନାଏକ(୭୨) । ସେ ନିଜର ପେଟ ପୋଷିବାକୁ ଏ ପରିଣତ ବୟସରେ ମଧ୍ୟ ହାରିନାହାନ୍ତି । ତାଙ୍କ ଗତ ୧୫ ବର୍ଷ ହେଲାଣି ଆରପାରିକୁ ଚାଲିଗଲେଣି । କିନ୍ତୁ ସେ ଜୀବନଯୁଦ୍ଧରେ ହାରିନାହାନ୍ତି । ତାଙ୍କର ଦୁଇପୁଅ ଓ ଗୋଟିଏ ଝିଅ ଅଛନ୍ତି । ବିବାହ ପରେ ପୁଅମାନେ ଅଲଗା ରହୁଥିବା ବେଳେ ଝିଅ ସହ ଏବେ ଜାନଭି ଦିନ କାଟୁଛନ୍ତି । ଜାନଭୀର ଝିଅ ପଙ୍କଜିନୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ । ତାଙ୍କର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକ ଥିଲେ ମଧ୍ୟ ଜାନଭି ତାହା କରିପାରୁନାହାନ୍ତି । କେବଳ ଦୁଇଜଣଙ୍କ ପେଟ ପୋଷିବାକୁ କଷ୍ଟମଷ୍ଟେ ରୋଜଗାର କରୁଛନ୍ତି । ବୃଦ୍ଧା ଜାନଭି ସାହାଯ୍ୟ କରିବା ପାଇଁ କେହିନାହାନ୍ତି । ଘରେ ଯାହାଥିଲା ବାସନକୁସନ ବିକି ଝିଅର ଚିକିତ୍ସାରେ ଲଗାଇଦେଇଛନ୍ତି । ଚିକିତ୍ସାରେ ଅର୍ଥ ବାଧକ ସାଜିବାରୁ ଶେଷରେ ବାଧ୍ୟ ହୋଇ ଝିଅକୁ ଘରକୁ ନେଇ ଆସିଥିଲେ । ଏବେ ଝିଅଟି ଖଟରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛି । ବୃଦ୍ଧା ଜାନଭୀ ମାସକୁ ଭତ୍ତି ଆକାରରେ ୫ଶହ ଟଙ୍କା ସହ ୧୦କେଜି ବିପିଏଲ ଚାଉଳ ପାଉଛି । ଏଥିରେ ଦୁଇପ୍ରାଣୀ ଠିକ୍ ଚଳିପାରୁନଥିବାରୁ ଜାନଭି ପରିଣତ ବୟସରେ ନିକଟସ୍ଥ ଜଙ୍ଗଲକୁ ଯାଇ ମସିଆକନ୍ଧା, ତେନ୍ତୁଳି, ଚାକୁଣ୍ଡାମଞ୍ଜି, ଚାର ଆଦି ଜଙ୍ଗଲି ଦ୍ରବ୍ୟ ସଂଗ୍ରହ କରି ନିକଟସ୍ଥ ବଜାର ହରଭଙ୍ଗା ହାଟରେ ଆଣି ବିକ୍ରି କରେ । ସେଥିରୁ ଯାହା ମିଳେ ତେଲ, ଲୁଣ ଓ ଝିଅର ଔଷଧ ବାବଦରେ ଖର୍ଚ୍ଚ କରେ । ଏମିତି ଦିନେ ଦିନେ ଏହି ଦୁଇ ମାଆଝିଅ ଉପାସରେ ଦିନ କାଟିଥାନ୍ତି । ବୌଦ୍ଧ ଜିଲ୍ଲା ପ୍ରଶାସନ ଏହି ମାଆଝିଅଙ୍କ ଉପରେ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି । ପରିଣତ ବୟସରେ ମଧ୍ୟ ଏହି ବୃଦ୍ଧା ଜଣକ ହାରିନାହାନ୍ତି । ଝିଅକୁ ବଞ୍ଚାଇବା ପାଇଁ ସେ ସଂଘର୍ଷ ଜାରି ରଖିଛନ୍ତି । ତେଣୁ ସେ ସମସ୍ତଙ୍କ ପାଇଁ ଜଣେ ଉଦାହରଣ ପାଲଟିଯାଇଛନ୍ତି ।

hiranchal ad1
Leave A Reply

Your email address will not be published.

one × four =