ବିଜୟଙ୍କୁ ଭାବପୂର୍ଣ୍ଣ ଅଶ୍ରୁଳ ବିଦାୟ

0 112

ଭୁବନେଶ୍ୱର ୨୧ ।୭: ଓଡିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ସ୍ୱର୍ଗତ ବିଜୟ ମହାନ୍ତିଙ୍କୁ ଆଜି ସତ୍ୟନଗର ଶ୍ମସାନ ଘାଟରେ ଭାବପୂର୍ଣ୍ଣ ଅଶ୍ରୁଳ ବିଦାୟ ଦିଆଯାଇଛି । କୋଭିଡ-୧୯ କରୋନା ମହାମାରୀ ପାଇଁ କଠୋର କଟକଣା ଥିଲେ ମଧ୍ୟ ସାଧାରଣ ଲୋକଙ୍କର ତାଙ୍କ ପ୍ରତି କେତେ ଭଲ ପାଇବା ଥିଲା ତାହା ଆଜି ତାଙ୍କର ଶବ ଶୋଭାଯାତ୍ରାରେ ବାରି ହୋଇପଡିଥିଲା । ରାଜଧାନୀର ରାଜରାସ୍ତାରେ ବିଜୟଙ୍କ ଅନ୍ତିମ ଯାତ୍ରାରେ କେବଳ କଳାକାର ନୁହଁନ୍ତି ତାଙ୍କୁ ଭଲ ପାଉଥିବା ଶହଶହ ଶୁଭେଚ୍ଛୁ ସାମିଲ ହୋଇଥିଲେ । କଟକ ରୋଡ ସ୍ଥିତ ବମିଖାଲ ବାସଭବନରୁ ତାଙ୍କର ଶବଧାରକୁ ସୁସଜ୍ଜିତ ଆମ୍ବୁଲାନ୍ସରେ ସଜାଇ ଦିଆଯାଇ ଅନ୍ତିମ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା । ଶୋଭାଯାତ୍ରାର ଅଗ୍ରଭାଗରେ ଓଡିଆ ଓ ବଙ୍ଗଳା ଚଳଚ୍ଚିତ୍ରର ବହୁନାମୀଦାମୀ କଳାକାର, ସହରର ଅନେକ ବୁଦ୍ଧିଜିବୀ, ରାଜନେତା ପାଦରେ ଚାଲିଚାଲି ସାମିଲ ହୋଇଥିଲେ । ତାଙ୍କର ପାର୍ଥିବ ଶରୀରକୁ ତାଙ୍କର କର୍ମମୟ ଜୀବନର ଏକ ବୃହତ ଅଂଶବିଶେଷ ଉତ୍କଳ ସଂଗୀତ ବିଶ୍ୱବିଦ୍ୟାଳୟକୁ ଅଣାଯିବା ପରେ ସେଠାରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା । ଏହାପରେ ସ୍ୱର୍ଗତ ମହାନ୍ତିଙ୍କର ପାର୍ଥିବ ଶରୀରକୁ କିଛିକ୍ଷଣ ପାଇଁ ସେଠାରେ ରଖାଯାଇଥିବା ବେଳେ ଶହଶହ ବ୍ୟକ୍ତି ତାଙ୍କୁ ଶବଧାରରେ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ସ୍ୱର୍ଗତ ମହାନ୍ତିଙ୍କର ଅନ୍ତିମ ଶୋଭାଯାତ୍ରା ସତ୍ୟନଗର ଶ୍ମସାନ ଘାଟରେ ପହଞ୍ଚିବା ପରେ ବୈଦିକ ବିଧି ମତେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ଜାମାତା ତାଙ୍କୁ ମୁଖାଗ୍ନୀ ଦେବା ପରେ ସ୍ୱର୍ଗତ ମହାନ୍ତି ପଞ୍ଚଭୂତରେ ବିଲୀନ ହୋଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ସମବେତ ଜନତା ସ୍ୱର୍ଗତ ମହାନ୍ତି ବିଜୟ ଭାଇ ଅମର ରହେ କହୁଥିବା ଶୁଣାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ସ୍ୱର୍ଗତ ମହାନ୍ତି ଗତକାଲି କେୟାର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ମୃତ୍ୟୁରେ ଆଜି ରାଜ୍ୟର ସବୁ ଗଣମାଧ୍ୟମ ସମେତ ରାଜନେତା, କଳାକାର, ବୁଦ୍ଧିଜିବୀ ଶୋକ ପ୍ରକାଶ କରିବା ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୋକପ୍ରକାଶ କରିଥିଲେ । ସ୍ୱର୍ଗତ ମହାନ୍ତି କିଛି ଦିନ ପୂର୍ବରୁ ହାଇଦ୍ରାବାଦରେ ନିଜ ଝିଅଙ୍କ ଘରେ ରହି ଚିକିତ୍ସିତ ହେଉଥିଲେ । ସେ ସେଠାରେ ଡାଇବେଟିସ୍ ସହିତ ପ୍ରୋଟେଷ୍ଟ ରୋଗର ଚିକିତ୍ସା କରାଇଥିଲେ । ତେବେ ସେଠାରେ ହୃଦଘାତ ଆସିବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏହାପରେ ସେ ସେଠାରୁ ସାମାନ୍ୟ ସୁସ୍ଥ ହୋଇ ଜନ୍ମମାଟି ଭୁବନେଶ୍ୱରକୁ ଫେରିଥିଲେ । ୧୯୫୦ ଅପ୍ରେଲ ୮ ତାରିଖରେ କେନ୍ଦ୍ରାପଡାର ପାଣ୍ଡିରିଠାରେ ସେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ବାରିପଦାରେ ନିଜ ପିତାଙ୍କ ପାଖରେ ଶିକ୍ଷାଲାଭ କରିଥିଲେ । ଏହି ସମୟରେ ସେ କଳାପ୍ରତି ଆକର୍ଷିତ ହୋଇ ଅଭିନୟ ଜଗତରେ ନିଜ ଜୀବନକୁ ଚାରିଦଶନ୍ଧୀରୁ ଅଧିକ ସମୟ ଧରି ହଜାଇ ଦେଇଥିଲେ । ତାଙ୍କ ଅଭିନୟ ପାଇଁ ଓଡିଆ ଦର୍ଶକଙ୍କ ମନରେ ଘର କରି ରହିଥିଲେ ।

hiranchal ad1
Leave A Reply

Your email address will not be published.

thirteen − twelve =