ମହାନଦୀରୁ ରେଢାଖୋଲକୁ ଯୋଗାଉଥିବା ପାନୀୟ ଜଳ ପ୍ରକଳ୍ପ : ସ୍ଥାୟୀ ନିଯୁକ୍ତି ଦାବିରେ ଜମି ହରାଇଥିବା ପରିବାରଙ୍କ ଆମରଣ ଅନଶନ

0 449

ଆଠମଲ୍ଲିକ,(ହୀ.ପ୍ର) : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମ ନିକଟସ୍ଥ ମହାନଦୀ କୂଳରେ ଏକ ପାନୀୟ ଜଳ ପ୍ରକଳ୍ପ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଛି । ଏହି ପାନୀୟ ଜଳ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମ୍ବଲପୁର ଜିଲ୍ଲା ରେଢାଖୋଲ ସହର ଓ ଏହାର ପାଶ୍ୱର୍ବର୍ତ୍ତୀ ଗ୍ରାମଗୁଡିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା । ସରକାରଙ୍କ ଏହି ଯୋଜନା ମଧ୍ୟ ଏବେ ଫଳପ୍ରଦ ହୋଇଛି । କିନ୍ତୁ ପରିତାପର ବିଷୟ ପ୍ରକଳ୍ପ ନିର୍ମାଣ ଦ୍ୱାରା ଜମି ହରାଇଥିବା ପରିବାର ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି । ପ୍ରକଳ୍ପ ନିର୍ମାଣ ଆରମ୍ଭରୁ ପ୍ରଶାସନ ପକ୍ଷରୁ ଜମି ହରାଇଥିବା ପରିବାରରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଛି । ଯେଉଁ ବ୍ୟକ୍ତିମାନଙ୍କୁ ଏହି ପ୍ରକଳ୍ପରେ ନିଯୁକ୍ତି ମିଳିଛି ସେମାନଙ୍କର ଏହି ପ୍ରକଳ୍ପ ସହ କୌଣସି ସଂପର୍କ ନାହିଁ । ଏ ସଂପର୍କରେ ସମ୍ବଲପୁର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିବାରୁ ଆଜି ବାଧ୍ୟ ହୋଇ ସେମାନେ ପ୍ରକଳ୍ପର ଫାଟକ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଜମି ହରାଇଥିବା ପରିବାରଗୁଡିକ ହେଲେ କାଦପଡା ଗ୍ରାମର ବସନ୍ତ ମହାନ୍ତି, ଲୋକନାଥ ମହାନ୍ତି ଓ ମାନସ ମହାନ୍ତି । ସେମାନେ ଆଜି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ, ଆମର ଜୀବିକା କେବଳ ଚାଷ । ଏହି ଜମିରୁ ଫସଲ ଅମଳ କରି ଆମେ ଜୀବିକା ନିର୍ବାହ କରୁଥିଲୁ । କିନ୍ତୁ ପ୍ରକଳ୍ପ ଦ୍ୱାରା ଜମି ହରାଇବା ପରେ ଆମ ପରିବାର ପ୍ରତିପୋଷଣ କରିବାରେ ଆମେ ସକ୍ଷମ ହୋଇପାରୁନାହୁଁ । ଏଣୁ ଆମ ପରିବାରର ଶିକ୍ଷିତ ଯୁବକ ଓ ବେକାରୀମାନଙ୍କୁ ଏହି ପ୍ରକଳ୍ପରେ ସ୍ଥାୟୀ ନିଯୁକ୍ତି ନ ମିଳିବା ଯାଏଁ ଆମେ ଆମରଣ ଅନଶନରୁ ହଟିବୁ ନାହିଁ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ଜମିହରାଇଥିବା ପରିବାର ପକ୍ଷରୁ ଏସପର୍କରେ ଅନୁଗୋଳ ଜିଲ୍ଲାପାଳ, ରେଢାଖୋଲ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କନିଷ୍ଠ ଯନ୍ତ୍ରୀ, ସମ୍ବଲପୁର ଜିଲ୍ଲାପାଳ, ଆଠମଲ୍ଲିକ ଉପଜିଲ୍ଲାପାଳ, ଆଠମଲ୍ଲିକ ବିଧାୟକ, ଆଠମଲ୍ଲିକ ତହସିଲଦାର ଓ ଆଠମଲ୍ଲିକ ବିଡିଓଙ୍କ ପାଖକୁ ଲିଖିତ ଭାବେ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

three + twenty =