କଣ୍ଟାବାଞ୍ଜି,୧୯/୧୦- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଆଖପାଖ ଅଞ୍ଚଳ ତଥା ମୁରିବାହାଲ, ବେଲପଡା, ଓ ତୁରୀକେଲା ଅଞ୍ଚଳରେ ବାଇକ ଚୋରି କରୁଥିବା ଘଟଣାର ପର୍ଦ୍ଦାଫାଶ ହୋଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଲକର । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଦେଇଥିବା ସୂଚନାକ୍ରମେ ଗତ ସେପ୍ଟେମ୍ବର ୬ ତାରିଖରେ ସନ୍ଧ୍ୟା ସାଢେ ୭ଟାରେ ଥାନାରେ କୁଞ୍ଜ ବିହାରୀ ଜାଲ ନାମକ ଜଣେ ବ୍ୟକ୍ତି ତାଙ୍କର ହିରୋ ଗ୍ଲାମର ବାଇକ ନମ ଓଡି୦୩ସି୬୭୭୮ ଚୋରି ହୋଇଯାଇଥିବା ଅଭିଯୋଗ କରିଥିଲେ । ଥାନା କେଶ ନଂ ୧୯୯ରେ ମାମଲା ରୁଜୁକରି ପୁଲିସ ତଦନ୍ତ ଚଳାଇଥିଲା । ପୁଲିସ ଏହି ଘଟଣାର ତଦନ୍ତକରି ରାମୁଡ ଗାଁର ଶିବ ପ୍ରଧାନଙ୍କ ଠାରୁ ୪ଟି କୁକୁଡାହାଡ ଗ୍ରାମର ପ୍ରଭାତ ବେହେରାଙ୍କ ଠାରୁ ୨ଟି ଓ ହୀରାଲାଲ ପୁଟେଲଠାରୁ ଗୋଟିଏ ବାଇକ ଜବତ କରିବାରେ ସଫଳ ହୋଇଛି । ଖାଟୁ ଶ୍ୟାମ ମନ୍ଦିର ଚୋରିରେ ଦୁଇଦିନ ପୂର୍ବେ କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ ସୁରଥ ପଟେଲ ମଧ୍ୟ ଏହି ମାମଲାରେ ସଂଶ୍ଳିଷ୍ଟ ଥିବା ସୂଚନା ମିଳିଛି । ଅନୁସନ୍ଧାନ ଅଧିକାରୀ ଏଏସଆଇ ପଞ୍ଚାନନ ଖୁଆସ ସହ ଏସଆଇ ପ୍ରଦୀପ କୁମାର ବେହେରା ଟାଉନ ହାବିଲଦାର ସୁନୀଲ କୁମାର ଦାସ ସହଯୋଗ କରିଥିବା ଥାନା ଅଧିକାରୀ ସତ୍ୟଜିତ୍ ପ୍ରକାଶ କରିଛନ୍ତି ।